ହାର୍ଟ ଆଟାକରେ ’ସାଇକେଲ୍ ଗାର୍ଲ’ ଜ୍ୟୋତିଙ୍କ ପିତାଙ୍କ ଦେହାନ୍ତ

1 min read

ପାଟନା: ବିହାର ଦରଭଙ୍ଗାର ସାଇକେଲ୍ ଗାର୍ଲ ଭାବେ ପରିଚିତ ଜ୍ୟୋତି ପାସବାନଙ୍କ ପିତା ମୋହନ ପାସବାନଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପରିବାର ବର୍ଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତ ବର୍ଷ କରୋନା ମହାମାରୀ ଜନିତ ଲକଡାଉନ୍ ସମୟରେ ଜ୍ୟୋତି ନିଜ ପିତାଙ୍କୁ ସାଇକେଲରେ ବସାଇ ଗୁଡଗାଁଓରୁ ଦରଭଙ୍ଗା ଆଣିଥିଲେ । ଯାହା ସେସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଦରଭଙ୍ଗା ଜିଲ୍ଲାର ସିଂହୱାଡା ପ୍ରଖଣ୍ଡ ସ୍ଥିତ ସିରହୁଲ୍ଲି ଗାଁର ୧୩ ବର୍ଷୀୟା ଏହି ଝିଅଟି ସାଇକେଲରେ ନିଜ ପିତାଙ୍କୁ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ଯାଏ ଆଣିଥିଲେ ମାତ୍ର  ୮ ଦିନରେ । ଆଉ ଯେଉଁଥିପାଇଁ ତାଙ୍କୁ ପ୍ରାୟ ୧୨ ଶହ କିଲୋମିଟର ସାଇକେଲ ଚଳାଇବାକୁ ପଡିଥିଲା ।

କେବଳ ଏତିକି ନୁହେଁ ଜ୍ୟୋତିଙ୍କର ଏହି ସମୟର ଫଟୋକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରିଥିଲେ। ତା ପରେ ସେ ଚର୍ଚ୍ଚା ଘେରକୁ ଆସିଥିଲେ। ତାଙ୍କ ଉପରେ ଫିଲ୍ମ ତିଆରି କରିବାକୁ ମଧ୍ୟ ଚର୍ଚ୍ଚା ହୋଇଥିଲା। ତାଙ୍କୁ କିଛି ସାଇକେଲ କମ୍ପାନୀ ସାଇକେଲିଂ ଟ୍ରେନିଂ ଦେବା ପାଇଁ ମଧ୍ୟ କହିଥିଲେ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ-ଏନସିଆରରେ ମୋହନ ପାସବନ ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ୨୦୨୦ ମସିହା ଜାନୁଆରୀରେ ତାଙ୍କର ଆକ୍ସିଡେଣ୍ଟ ହୋଇଯାଇଥିଲା । ଯାହା ପରେ ପିତାଙ୍କର ଦେଖାଶୁଣା କରିବା ଲାଗି ଜ୍ୟୋତି ସେଠାକୁ ଯାଇଥିଲେ । ହେଲେ ପରେ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଥିଲା । ଯାହା ପରେ ଜ୍ୟୋତି ନିଜ ପିତାଙ୍କୁ ଧରି ଘରକୁ ଫେରିଥିଲେ ।

Leave a Reply