ଭୁବନେଶ୍ୱର : ଛାତି ଥରାଉଛନ୍ତି ସାଇବର ସୈତାନ ! ବର୍ଷକରେ ଭୁବନେଶ୍ୱରରୁ ଯାଇଛି ୫୮ କୋଟି । ସାରା ଦେଶରୁ ୧୯ ହଜାର କୋଟି ଟଙ୍କାର ଠକେଇ । ଚିନ୍ତା ବଢ଼ାଇଲାଣି ସାଇବର କୋର୍ଡ଼ିନେସନ ସେଣ୍ଟର ଡାଟା । ଭଲ କରି ନଜର ପକାନ୍ତୁ ଏ ତଥ୍ୟ ଉପରେ । କୁହାଯାଏ ରାଜଧାନୀ ଭୁବନେଶ୍ବରରେ ସମ୍ଭ୍ରାନ୍ତ ଓ ଶିକ୍ଷିତ ଲୋକ ବସବାସ କରନ୍ତି । କିନ୍ତୁ ଏହି ଚାଲାକ ଲୋକଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ । ୨୦୨୫ ରେ ଭୁବନେଶ୍ୱର ସାଇବର ଥାନାରେ ୨୫୧ ଟି ମାମଲା ରୁଜୁ ହେବା ସହ ୫୭ କୋଟି ୫୮ ଲକ୍ଷ ଟଙ୍କା ଠକେଇ ହେଇଛି । ଗୋଟିଏ କ୍ଲିକରେ ସର୍ବସ୍ଵାନ୍ତ ହୋଇଛନ୍ତି ଅନେକ । ତେବେ ଅତ୍ୟାଧୁନିକ ଜ୍ଞାନକୌଶଳ, ମାନବସମ୍ବଳ ବୃଦ୍ଧି, ଫୋରନସିକ ସାଇନ୍ସ ର ବ୍ୟବହାର ଓ ଆଇଟି ଏକ୍ସପର୍ଟ ଙ୍କ ସୁପରିଚାଳନା ଯୋଗୁଁ ୨୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଫେରସ୍ତ ଓ ଫ୍ରିଜ ହୋଇଛି । ୬୧ ଜଣଙ୍କୁ ଗିରଫ କରାଯାଇଛି । ମ୍ୟୁଲ ଆକାଉଣ୍ଟ, ଫେକ ସୀମ ଜରିଆରେ ଠକେଇ ବୃଦ୍ଧି ପାଉଛି । ଏସବୁରେ ରୋକ ଲଗାଇବା କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ସେପଟେ ସାଧାରଣ ଲୋକେ ନିଜେ ସଚେତନ ନହେଲେ ଅବସ୍ଥା ଆହୁରି ସାଙ୍ଘାତିକ ହେବ ବୋଲି ସଚେତନ କରିଛନ୍ତି ସାଇବର ଏକ୍ସପର୍ଟ।
ସାଇବର କ୍ରାଇମ କୋର୍ଡ଼ିନେସନ ସେଣ୍ଟର ତଥ୍ୟ ମଧ୍ୟ ଉଭୟ ସାଧାରଣ ଲୋକ ଓ ତଦନ୍ତକାରୀ ସଂସ୍ଥା ପାଇଁ ଚ୍ୟାଲେଞ୍ଜ ଆଣି ଦେଇଛି । ୨୦୨୫ ରେ ସାରା ଦେଶରେ ୧୯ ହଜାର ୮ ଶହ ୧୨ କୋଟି ଟଙ୍କାର ଠକେଇ ହୋଇଛି। ୨୦୨୪ ରେ ସାରା ଦେଶରୁ ଲୂଟ ହୋଇଛି ୧୩ ହଜାର କୋଟିରୁ ଉର୍ଦ୍ଧ ଟଙ୍କା । ଏଣୁ ଏବେ ନିଜେ ସଚେତନ ହେବାର ସମୟ ଆସିଛି । ଗୋଲ୍ଡେନ ଆୱାର ବା ଘଟଣା ଘଟିବାର ୩ ଘଣ୍ଟା ମଧ୍ୟରେ ୧୯୩୦ ନମ୍ବରରେ ତୁରନ୍ତ କଲ କରିବାକୁ ପରାମର୍ଶ ଦିଆଯାଇଛି । ମୋବାଇଲ ହଜିଲେ ନିର୍ଦ୍ଧିଷ୍ଟ ୱେବସାଇଟ ଜରିଆରେ ଅଭିଯୋଗ କରିପାରିବେ । ଏହାବାଦ ମଧ୍ୟ ସଂଚାର ସାଥି ୱେବସାଇଟରେ ତତ୍କ୍ଷଣଣାତ ଅଭିଯୋଗ କଲେ ପୋଲିସ ସାଇବର ଠକଙ୍କୁ ଧରିବାରେ ସମର୍ଥ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ସାଇବର ଏକ୍ସପର୍ଟ ।ଫିଜିକାଲ କ୍ରାଇମ ଠାରୁ ବର୍ତ୍ତମାନ ସାଇବର କ୍ରାଇମ ବଢିଛି । ଡିଜିଟାଲ ଯୁଗରେ ବିନା ହତିଆର ରେ ଅପରାଧ ଘଟାଉଥିବା ଅଦୃଶ୍ୟ ଠକ ପୋଲିସ ପାଇଁ ବଢ଼ାଇଛନ୍ତି ମୁଣ୍ଡବିନ୍ଧା ।

