ଲଟେରୀ ଲୋଭ ଦେଖାଇ ଲୁଟି ନେଉଛନ୍ତି ଟଙ୍କା
ବ୍ୟୁରୋ ରିପୋର୍ଟ : ଡିଜିଟାଲ୍ ଦୁନିଆରେ ଠକେଇର ନୂଆ ତରିକା ଆପଣେଇଛନ୍ତି ସାଇବର ଠକ। ଲୋକଙ୍କୁ ବୋକା ବନେଇବା ପାଇଁ ବିଭିନ୍ନ ପ୍ରକାର ସ୍କିମ୍ ବାହାର କରି ଫସେଇବାକୁ ଲାଗିପଡିଛନ୍ତି ଠକ। ଏହି ସାଇବର ଠକ ମାନଙ୍କର ଜାଲରେ ଥରେ ଛନ୍ଦି ହୋଇଗଲେ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଚ କେତେବେଳେ ଖାଲି ହୋଇଯିବ ତାହା ଆପଣ କଳ୍ପନା କରିନଥିବେ। ସାଇବର ଠକମାନେ ଲୋକଙ୍କୁ ଠକିବାକୁ ଏମିତି ସବୁ ନୂଆ ନୂଆ ପ୍ଲାନ୍ କରୁଛନ୍ତି ତାହା ଆପଣ ସ୍ବପ୍ନରେ ସୁଦ୍ଧା ଭାବିପାରିବେ ନାହିଁ। ନୀରିହ ଲୋକଙ୍କୁ ନିଜ ଜାଲରେ ଫସେଇବା ପାଇଁ ସାଇବର ଠକ ମାନେ ଲୋକ ମାନଙ୍କୁ ଲଟେରୀ ଜିତିବାର ଅଫର ଦେଉଛନ୍ତି। ଲଟେରୀ ଜିତିବା ଲୋଭ ଦେଖାଇ ଏହି ଠକମାନେ ପ୍ରଥମେ ମୋବାଇଲ୍ ନମ୍ୱରକୁ ଏକ ଲିଙ୍କ୍ ଛାଡନ୍ତି। ଲୋକେ ଏହି ଲିଙ୍କ୍ ଥରେ କ୍ଲିକ୍ କରିଦେଲେ ସାଇବର ଠକ ନିଜର ଅସଲି ଖେଳ ଆରମ୍ଭ କରିଦିଅନ୍ତି। ଏହି ଲିଙ୍କରେ କ୍ଲିକ୍ କଲେ କିଛି କ୍ଷଣ ମଧ୍ଯରେ ଆପଣଙ୍କ ବ୍ଯାଙ୍କ୍ ଆକାଉଣ୍ଟ ଖାଲି ହୋଇଯିବ।
ଯଦି ଆପଣଙ୍କ ପାଖକୁ କିଛି ଅଜଣା ନମ୍ୱରରୁ ମେସେଜ୍, କଲ୍ କିମ୍ବା ଇମେଲ୍ ଯାଉଛି କି ଆପଣ ୨୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ତେବେ ଆପଣ ସାବଧାନ ହୋଇଯାଆନ୍ତୁ। ଯଦି ଆପଣ ଭୁଲରେ ବି ସେ ଲିଙ୍କ ଉପରେ କ୍ଲିକ୍ କରିଦଲେ ତେବେ ୨ ଟି ଜିନିଷ ହୋଇପାରେ। ପ୍ରଥମରେ ସାଇବର ଠକ ଆପଣଙ୍କ ମୋବାଇଲ୍ ଉପରେ ପୁରା କଣ୍ଟ୍ରୋଲ୍ ନେଇଯିବେ। ନହେଲେ ଆପଣଙ୍କ ମୋବାଇଲରେ ଭାଇରସ୍ ପଶିଯିବ। ଯଦି ସାଇବର୍ ଠକ ଆପଣଙ୍କ ମୋବାଇଲ୍ ଉପରେ ପୁରା କଣ୍ଟ୍ରୋଲ୍ ନେଇଯିବ ତେବେ ଆପଣଙ୍କ ବ୍ଯାଙ୍କ୍ ଆକାଉଣ୍ଟ ସଂପୂର୍ଣ୍ଣ ଖାଲି ହୋଇଯିବ। ସାଇବର ଠକ ଆପଣଙ୍କର ପରିଶ୍ରମର ଟଙ୍କା ଉପରେ ଯେପରି ନଜର ନ ପକାନ୍ତି ସେଥିପାଇଁ ଆପଣଙ୍କୁ ଧ୍ଯାନ ଦେବାକୁ ପଡିବ।