ସାଇବର ଠକଙ୍କ ଆଗରେ ଫେଲ୍ ପୋଲିସ । ଧାମନଗର ଏସଡିପିଓଙ୍କ ଖାତାରୁ ୯୯ ହଜାର ଟଙ୍କା ଉଭାନ । ସାଇବର ଅପରାଧୀଙ୍କ ଦୌରାତ୍ମ୍ୟର ଶିକାର ଖୋଦ ପୋଲିସ ଅଧିକାରୀ । ଭଦ୍ରକ ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲିଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ୯୮ ହଜାର ୯୨୮ ଟଙ୍କା ଲୁଟି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସଡିପିଓଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସଞ୍ଚୟ ଖାତାରୁ ଗତ ଜୁନ୍ ୩ ତାରିଖରେ ୟୁପିଆଇ ମାଧ୍ୟମରେ ୯୮ ହଜାର ୫୦୦ ଟଙ୍କା ଅଜଣା ବ୍ୟକ୍ତିଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିବା ମେସେଜ୍ ଆସିଥିଲା । ଏହା ପରେ ସେ ବ୍ୟାଙ୍କରେ ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ ଏହା ପୂର୍ବରୁ ମଧ୍ୟ ଛୋଟ ଛୋଟ ଅଙ୍କର ଟ୍ରାଞ୍ଜାକସନ୍ ହୋଇଥିଲା । ମେ’ ୨୬ ତାରିଖରେ ୧ ଟଙ୍କା, ମେ’ ୨୮ରେ ୨୦ ଟଙ୍କା, ମେ’ ୩୧ରେ ୬ ଟଙ୍କା ଓ ଜୁନ୍ ୧ରେ ପୁଣି ୧ ଟଙ୍କା କାଟି ନିଆଯାଇଥିଲା । ସାଇବର ଠକମାନେ ପ୍ରଥମେ ଆକାଉଣ୍ଟ ସକ୍ରିୟ ଅଛି କି ନାହିଁ ଯାଞ୍ଚ କରି ପରେ ବଡ଼ ଅଙ୍କର ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି । ଘଟଣା ପରେ ଆକାଉଣ୍ଟକୁ ଫ୍ରିଜ୍ କରିବା ଓ ବ୍ୟାଙ୍କ ସହ ଯୋଗାଯୋଗ କରିବାରେ ବ୍ୟସ୍ତ ଥିବାରୁ ଏଫଆଇଆର ଦାଖଲରେ କିଛି ବିଳମ୍ବ ହୋଇଥିଲା । ଜୁନ୍ ୬ ତାରିଖରେ ଧାମନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

