ବସ୍ ସ୍କାମ୍ କ’ଣ ? ମାଲିକଙ୍କ ନାମରେ ଏମିତି ହୁଏ କର୍ମଚାରୀଙ୍କ ସହ ଠକେଇ

1 min read

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସାଇବର କ୍ରାଇମର ଏକ ନୂଆ ତରିକା ସାମ୍ନାକୁ ଆସିଛି । ଯେଉଁଥିରେ ସ୍କାମରମାନେ ଇଣ୍ଡିଗୋ ଏୟାରଲାଇନ୍ସର ସିଇଓ ପିଟର ଆଲବର୍ସ ବୋଲି ଦର୍ଶାଇ କର୍ମଚାରୀମାନଙ୍କୁ ଫ୍ରଡ୍ କରିଛନ୍ତି ।

ସ୍କାମରମାନେ ବିମାନରେ ଥିବା କର୍ମଚାରୀଙ୍କୁ ଆମାଜନରୁ କିଣାଯାଇଥିବା ଗୁଗୁଲ୍ ପେ ଗିଫ୍ଟ କାର୍ଡ କିଣିବା ଏବଂ ଏହାକୁ ଅନ୍ୟ ଜଣଙ୍କୁ ପଠାଇବାକୁ କହିଥିଲେ। ଏ ଖବର ଇଣ୍ଡିଗୋ ଏୟାରଲାଇନ୍ସ ପାଖରେ ପହଞ୍ଚିବା ପରେ ସ୍କାମରଙ୍କ ବିରୋଧରେ FIR ଦାଖଲ ହୋଇଛି । ଏ ନେଇ ସେମାନେ ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ପ୍ରକାର ସାଇବର ଅପରାଧକୁ ‘ବସ୍ ସ୍କାମ’ ବୋଲି କୁହାଯାଏ | କର୍ପୋରେଟ୍ ଦୁନିଆରେ ଏଭଳି ବହୁତ ବଡ଼ ବଡ଼ ଠକେଇ ସାମ୍ନାକୁ ଆସୁଛି । ଏହି ଠକେଇରେ କମ୍ପାନୀ ମାଲିକଙ୍କ ନାମରେ କମ୍ପାନୀର କର୍ମଚାରୀମାନଙ୍କୁ ଏକ ନକଲି ଇମେଲ ପଠାଏ, ଯେଉଁଥିରେ ସେମାନଙ୍କୁ ଗିଫ୍ଟ କାର୍ଡ କିଣିବାକୁ କୁହାଯାଏ । ଯେହେତୁ ଏହି ମେଲ୍ ମାଲିକଙ୍କ ନାମରେ ଆସେ, ଅନେକ କର୍ମଚାରୀ ଏହାକୁ ସତ ଭାବି ଗିଫ୍ଟ କାର୍ଡ କିଣନ୍ତି। ହେଲେ ଯେଉଁମାନେ ଏହି କାର୍ଡ କିଣନ୍ତି ସେମାନେ ସ୍କାମରଙ୍କ ଜାଲରେ ପଡ଼ନ୍ତି ।

ନିକଟରେ ଦକ୍ଷିଣ ଭାରତର ଏକ ମିଡିଆର ଜଣେ ବରିଷ୍ଠ ଅଧିକାରୀ ଏହିଭଳି ଠକେଇର ଶିକାର ହୋଇଛନ୍ତି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସାଧାରଣତଃ କର୍ମଚାରୀମାନଙ୍କୁ ନକଲି ମେଲ ପଠାଇ ଗିଫ୍ଟ କାର୍ଡ କିଣିବାକୁ କୁହାଯାଏ । କର୍ମଚାରୀମାନଙ୍କୁ କୁହାଯାଏ ଯେ, ଏହି ଗିଫ୍ଟ କାର୍ଡକୁ କମ୍ପାନୀ କାମ ପରି କିଛି କର୍ମଚାରୀଙ୍କ ପଦୋନ୍ନତି ପାଇଁ ବ୍ୟବହାର କରାଯିବ। ଏହି ସ୍କାମରେ ସ୍କାମର ଜଣଙ୍କ କମ୍ପାନୀର ମାଲିକ କିମ୍ବା ମ୍ୟାନେଜର ବୋଲି ଦାବି କରିଥାନ୍ତି ।

ବେଳେବେଳେ ସେମାନେ କୁହନ୍ତି ଯେ, ସେ ମାଲିକ ସହର ବାହାରେ ଅଛନ୍ତି କିମ୍ବା କୌଣସି କନଫରେନ୍ସରେ ଅଛନ୍ତି । ତାଙ୍କୁ କିଣାବିକା କରିବାକୁ ଅତି ଶୀଘ୍ର ଗିଫ୍ଟ କାର୍ଡ କିଣିବା ଦରକାର । ଏମିତି କରି ସେ କର୍ମଚାରୀଙ୍କୁ ତରବର କରିଥାନ୍ତି ।

ଆପଣଙ୍କ ପାଖକୁ ଯଦି ଏପରି ମେଲ ଆସୁଛି ତାହାଲେ ସାବଧାନ ହୋଇଯାଆନ୍ତୁ । ସଠିକ ଭାବେ ମେଲ ପଢ଼ନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ।