ଠକେଇ ଟଙ୍କାରେ ଫିଲ୍ମ ନିଶା, ଅନଲାଇନ୍ ଟ୍ରେଡିଂ ଆଳରେ ଚୂନ
ଭୁବନେଶ୍ୱର : ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଏକ ସାଇବର ଠକକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍ । ଏକ ହ୍ୱାଟସପ୍ ଗ୍ରୁପ ଜରିଆରେ ଏହି ଠକେଇ କରାଯାଇଥିଲା । ଏହି ଜରିଆରେ ମେସେଜ୍ ଦେବା ସହ ଅନଲାଇନ୍ ଟ୍ରେଡିଂ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରାଯାଉଥିଲା । ଯେଉଁଥିରେ ଉତ୍ସାହିତ ହୋଇ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳର ଜଣେ ମହିଳା ୧୯ ଲକ୍ଷ ୫୦ ହାଜର ଟଙ୍କା ବିନିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଠକେଇର ମାଷ୍ଟରମାଇଣ୍ଡକୁ ତାମିଲନାଡୁରେ ଠାବ କରାଯାଇଥିଲା । ଗିରଫ ଅଭିଯୁକ୍ତ ଆକାଉଣ୍ଟ୍ ରେ ୬୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଥିବା ବେଳେ ତାହାକୁ ଜବତ କରାଯାଇଛି । ଠକେଇ ଟଙ୍କାରେ ଫିଲ୍ମ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲା ଠକ । ଯଦି ଆଉ କୌଣସି ଓଡ଼ିଆ ଲୋକେ ଏଭଳି ଠକେଇର ଶିକାର ହୋଇଥାନ୍ତି ତେବେ ଅଭିଯୋଗ କଲେ, ଅଭିଯୋଗ ମୁତାବକ ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି ।