ରାଜଧାନୀରେ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ୟ, ୧୦ ଦିନରେ ୧୫ ଲକ୍ଷ ଲୁଟ୍‌

Cyber Loot

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ୟ । ୧୦ ଦିନରେ ଲୁଟି ନେଲେଣି ୧୫ ଲକ୍ଷ ଟଙ୍କା । କେତେବେଳେ ଫେସବୁକ୍‌ ତ ଆଉ କେତବେଳେ ପେଟିଏମ୍ କ୍ୟାସବ୍ୟାକ୍ ଓ ଓଏଲଏକ୍ସ ଆଳରେ ଚଳୁ ହୋଇଯାଉଛି ଲକ୍ଷାଧିକ ଟଙ୍କା । ତେଣୁ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅଜଣା ଲୋକଙ୍କ ସହ ଟଙ୍କା କାରବାର ନକରିବା ଓ ଲିଙ୍କ୍ ଜରିଆରେ କିଣାବିକା ନକରିବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

ଫେସବୁକ୍‌ରୁ ଫ୍ରେଣ୍ଡସିପ୍ ଓ ଚାଟିଂ ରୁ ଚିଟିଂ । ମାତିଛନ୍ତି ଅନଲାଇନ ଠକ । ଆଖି ପିଛୁଳାକେ ଆକାଉଣ୍ଟ ଖାଲି । ପ୍ରେଣ୍ଡସିପ୍ ଆଳରେ ସାଙ୍ଘାତିକ ଫ୍ରଡ୍‌ । ବନ୍ଧୁତାର ସୁଯୋଗ ନେଇ ୬ ମାସ ମଧ୍ୟରେ ୮ ଲକ୍ଷ ୪୦ ହଜାର ଚଳୁ । ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଡମଣା ଅଞ୍ଚଳର ସତ୍ୟଭାମା ସେନାପତି ।

ସେହିପରି ପଟିଆ ଶ୍ରୀବିହାରରେ ରହୁଥିବା ଶଙ୍କର ପାଣିଗ୍ରାହୀ ଓଏଲଏକ୍ସ ଓ ପେଟିଏମ୍‌ ଜରିଆରେ ୮୫ ହଜାର ଟଙ୍କା ହରାଇଛନ୍ତି । ସେହିପରି ଗତ ୧୧ ତାରିଖରେ ଇନ୍‌ଫୋସିଟି ଥାନା ଗାୟତ୍ରୀ ବିହାର ମାଧୁରୀ ଭବନର ରହୁଥିବା ମନୋଜ କୁମାର ବାଡ଼ତ୍ୟାଙ୍କ କ୍ରେଡିଟ୍‌କାର୍ଡ଼ରୁ ଚଞ୍ଚକତା କରି ୭୧ ହଜାର ଟଙ୍କା ଲୁଟି ନେଇଛନ୍ତି ହ୍ୟାକର୍‌ । ଗତ ୧୫ ତାରିଖରେ ପେଟିଏମ୍‌ରେ ଡିଟିଏଚ୍‌ ରିଚାର୍ଜ କରିବା ବେଳେ ସୌମ୍ୟା ରାଉତଙ୍କ ଆକାଉଣ୍ଟରୁ ୯୮ ହଜାର ଟଙ୍କା ଗାୟବ ହୋଇଯାଇଛି ।

ରାଜଧାନୀରେ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରୁନି ସାଇବର ଥାନା । ବିଲ୍ଡିଂ ନିର୍ମାଣ ସାରିଯାଇଥିଲେ ମଧ୍ୟ ଅଫିସ୍ କଟକରୁ ସ୍ଥାନାନ୍ତର ହୋଇପାରୁ ନଥିବାରୁ ନିରାଶ ହେଉଛନ୍ତି ଲୋକେ । ସେପଟେ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅଜଣା ଲୋକଙ୍କ ସହ ଟଙ୍କା କାରବାର ନକରିବା ଓ ଲିଙ୍କ ଜରିଆରେ କିଣାବିକା ନକରିବାକୁ ପରାମର୍ଶ ଦେଇଛନ୍ତି ଡିସିପି । ସୋସିଆଲ ସାଇଟରେ ବନ୍ଧୁତା ଆଳରେ ବିଦେଶରୁ କ୍ରାଇମ ପ୍ଲଟ୍ ତିଆରି କରୁଛନ୍ତି ହ୍ୟାକର । ସଚେତନତା ଅଭାବରୁ ଶିକାର ହେଉଛନ୍ତି ଲୋକେ ।

Leave a Reply