ଟେଲିଗ୍ରାମ ଜରିଆରେ ସାଇବର ଠକେଇ

1 min read

ନନ୍ଦିଘୋଷ ବ୍ୟୁରୋ: ଟେଲିଗ୍ରାମ ଜରିଆରେ ସାଇବର ଠକେଇ। ୧୧ ଲକ୍ଷ ଠକେଇ ପରେ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ । ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ୨୦ ପ୍ରତିଶତ ସୁଧ ଦେବାକୁ କହି ଜଣଙ୍କ ଠାରୁ ପାଖାପାଖି ୧୨ ଲକ୍ଷ ଠକିନେବା ପରେ ୩ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ସକାଳୁ ୫ ହଜାର ଦେଲେ ରାତିରେ ମିଳିବ ୬ ହଜାର। ଇଜି ମନି ପାଇବା ଆଶାରେ ଲକ୍ଷାଧିକ ଟଙ୍କା ଠକେଇ। ରାଜ୍ୟ ବାହାରେ ରହି ଅପରେଟ କରୁଛି ମାଷ୍ଟରମାଇଣ୍ଡ । ଆର୍ଥିକ କାରବାର ଘଟଣାରେ RBI କୁ ଚିଠି ଲେଖିଲା କମିଶନରେଟ ପୋଲିସ୍ । ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି ? ଯଦି ବ୍ୟବହାର କରୁଛନ୍ତି ତେବେ ବେନାମୀ ଲିଙ୍କ ପ୍ରତି ହୋଇଯାଆନ୍ତୁ ସାବଧାନ। ଲୋଭର ବଶବର୍ତ୍ତୀ ହୋଇ ଲିଙ୍କ କ୍ଲିକ କଲେ ଆପଣ ହୋଇପାରନ୍ତି ବର୍ବାଦ। ଗତ ଫେବୃଆରୀ ୨ ତାରିଖରେ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗାଁର ଅବଦୁଲ ଆକବର ଖାଁ ସାଇବର ଥାନାରେ ଏକ ଅଭିଯୋଗ ଆଣିଥିଲେ । ଅନଲାଇନ ପ୍ଲାଟଫର୍ମରେ ଚାକିରୀ ଓ ମୋଟା ଅଙ୍କର ସୁଧ ଦେବାର ଲୋଭ ଦେଖାଇ ଏକ ଟେଲିଗ୍ରାମ ଲିଙ୍କ ତାଙ୍କ ପାଖକୁ ପଠାଇଥିଲା ଠକ । ପ୍ରଥମେ ୫ ହଜାର ଟଙ୍କା ଖର୍ଚ୍ଚ କରି ୨୪ ଘଣ୍ଟା ମଧ୍ୟରେ ହଜାରେ ଟଙ୍କା ଲାଭ ପାଇଥିଲେ ଅଭିଯୋଗକାରୀ । ପରେ ଲୋଭର ବସବର୍ତ୍ତୀ ହୋଇ ଟଙ୍କା ଲଗାଇବା ପରେ ୧୬ ଟି ବ୍ୟାଙ୍କ ଆକାଉଣ୍ଟ ରୁ ଚାଲିଯାଇଥିଲା ୧୧ ଲକ୍ଷରୁ ଉର୍ଦ୍ଧ ଟଙ୍କା । ଅଭିଯୋଗ ପାଇବା ପରେ ପୋଲିସ, ଏୟାରଫିଲଡ଼ ଅଞ୍ଚଳର ତୃପ୍ତି ରଞ୍ଜନ ପାତ୍ର, ସ୍ତ୍ରୀ  ବନଲତା ସାହୁ, ବଲାଙ୍ଗୀର ଅଞ୍ଚଳର ମାନସ ରଞ୍ଜନ ସୁନା, ସୁନ୍ଦରପଦା କଣ୍ଟିଲୋର ନିହାର ରଞ୍ଜନ ପାଇକରାୟଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ମାଷ୍ଟରମାଇଣ୍ଡ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାରା ଦେଶରେ ଏହି ଟେଲିଗ୍ରାମ ଠକେଇ ଚାଲିଛି । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଛାନଭିନ ଜାରି ରହିଛି। ଫେକ ଡକ୍ୟୁମେଣ୍ଟ ବ୍ୟବହାର କରାଯାଇ ୪୬ ଟି ମ୍ୟୁଲ ଆକାଉଣ୍ଟ ଜରିଆରେ ଠକେଇ ହୋଇଛି । ମ୍ୟୁଲ ଆକାଉଣ୍ଟ ଜରିଆରେ ୪୬ ଲକ୍ଷ ଟ୍ରାଞ୍ଜକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ। ଏ ସମ୍ପର୍କରେ ଖୁବଶୀଘ୍ର ଆରବିଆଇକୁ ଅବଗତ କରାଯିବ। ସେପଟେ ଏଭଳି ଠକେଇରୁ କିଭଳି ବର୍ତ୍ତିବେ, ସେ ନେଇ ସାଇବର ଥାନା ପକ୍ଷରୁ ଜାରି ହୋଇଛି ଆଡଭାଇଜରି।