ସଚେତନ ହେଲେ ସଶକ୍ତ ହେବେ ଖାଉଟି

1 min read

ଭୁବନେଶ୍ବର: ସାଇବର କ୍ରାଇମ ଏବେ ନିତିଦିନିଆ ଘଟଣା ହେଲାଣି । ପ୍ରତିଦିନ କୋଟି କୋଟି ଟଙ୍କାର ଠକେଇ ହେଉଛି । ଠକେଇର ଶିକାର ବ୍ୟକ୍ତି ପୋଲିସ ପାଖକୁ ଦୌଡୁଛି । ହେଲେ ଜଣେ ଖାଉଟି ହିସାବରେ ସାଇବର କ୍ରାଇମର ଫଇସଲା ପାଇଁ ଖାଉଟି ଅଦାଲତର ବି ଦ୍ବାରସ୍ଥ ହୋଇପାରିବେ । ଇ-କମର୍ସ ଓ ଡ଼ିଜିଟାଲ ବ୍ୟବସାୟ ଯୁଗରେ ଖାଉଟିଙ୍କ ସୁରକ୍ଷାକୁ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଖାଉଟି ଅଦାଲତରେ ମାମଲା ରୁଜୁ କଲେ ୩ ମାସ ମଧ୍ୟରେ ଫଇସଲା ହେବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳନ ଅବସରରେ ଖାଉଟି ମାନେ ସଚେତନ ହେଲେ ସଶକ୍ତ ହୋଇପାରିବେ ଏବଂ ଖାଉଟିଙ୍କ ପାଇଁ ସବୁ ପ୍ରକାର ସହାୟତା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ।

ସଚେତନ ହେଲେ ସଶକ୍ତ ହେବେ ଖାଉଟି । ସାଇବର କ୍ରାଇମ ହେଉ କି ଇ-କମର୍ସରେ ଠକେଇ, ଡ଼ିଜିଟାଲ ମାର୍କେଟିଙ୍ଗ ହେଉ କି ଅନଲାଇନ ଆପରେ ଧୋକା, ଖାଉଟି ଅଦାଲତର ଆଶ୍ରୟ ନେଇପାରିବେ ସାଧାରଣ ଗ୍ରାହକ । ସାଇବର କ୍ରାଇମ ହେଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ପୋଲିସ ପାଖକୁ ଦୌଡ଼ିଥାଏ । ହେଲେ ଅଧିକାଂଶ ଜାଣିନାହାନ୍ତି ଏହାର ସହଜ ସମାଧାନ କଞ୍ଜୁମର କୋର୍ଟରେ ସମ୍ଭବ । ଅନଲାଇନ ସପିଂ କଲାବେଳେ ଗ୍ରାହକଟିଏ ସତର୍କ ଓ ସଚେତନ ରହିବା ପ୍ରଥମ ପ୍ରାଥମିକତା । ଅନେକ ସମୟରେ ଗ୍ରାହକଟିଏ ଯେତେ ସଚେତନ ହେଲେ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ଠକାମିର ଶିକାର ହୋଇଥାନ୍ତି । ଏଭଳି ସ୍ଥିତିରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ଖାଉଟି ଅଦାଲତର ୪୮ଘଣ୍ଟା ମଧ୍ୟରେ ଅଭିଯୋଗ ଗ୍ରହଣ କରିବ  । ମାସକ ମଧ୍ୟରେ ସମାଧାନର ବାଟ ଦେଖାଇପାରିବ । ଗ୍ରାହକ ସୁରକ୍ଷା ଆଇନ ୨୦୧୯ରେ ଏହି ବ୍ୟବସ୍ଥା ରହିଛି ।

ସେଲ୍-ଡ଼ିସକାଉଣ୍ଟ-ଅଫର ଲୋଭରେ ବଢୁଛି ଠକାମି । ଏଥିପାଇଁ ଗ୍ରାହକଙ୍କୁ ସଚେତନ ହେବାକୁ ପଡ଼ିବ । କୌଣସି ଓ୍ବେବସାଇଟରେ ସପିଂ କରିବା ପୂର୍ବରୁ ସମସ୍ତ ସର୍ତ୍ତାବଳୀ ଭଲଭାବେ ପଢିବା ଉଚିତ । ପେମେଣ୍ଟ କରିବା ପୂର୍ବରୁ ଯାଞ୍ଚ କରିବା ଜରୁରୀ । ଅନଲାଇନ ମାର୍କେଟିଂରେ ଗ୍ରାହକର ଅସାବଧାନତା ଯୋଗୁଁ ଶହ ଶହ ସାଇବର କ୍ରାଇମ ବି ହେଉଛି । ଯଦି ସବୁ ପ୍ରକାର ପଦକ୍ଷେପ ସତ୍ତ୍ବେ ଗ୍ରାହକ ଠକାମିର ଶିକାର ହୁଏ, ତାହାଲେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇପାରିବେ । ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିବାଦ ହେଲେ ଜିଲ୍ଲା, ୫୦ଲକ୍ଷରୁ ୨କୋଟି ଯାଏଁ ରାଜ୍ୟ ଫୋରମ୍ ଏବଂ ୨କୋଟିରୁ ଉର୍ଦ୍ଧ୍ବ ହେଲେ ଜାତୀୟ ଫୋରମକୁ ଯାଇପାରିବେ । ଖାଉଟି ଅଦାଲତର ବିଷୟରେ ଜାଣିନଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ କଞ୍ଜୁମର ଆଓ୍ବାରନେସ୍ ବା ସିକା ସହଯୋଗର ହାତ ବଢାଇଛି । ଏଥିପାଇଁ ଥିବା ଟୋଲ୍ ଫ୍ରୀ ନମ୍ବର ୧୮୦୦-୩୪୫୬-୭୬୦ରେ ଗ୍ରାହକମାନେ ଯୋଗାଯୋଗ କରିପାରିବେ ।