ସ୍ମାର୍ଟ ଫୋନ ଧରିଛନ୍ତି କି? ଜାଣନ୍ତୁ କେମିତି ଲୁଟନ୍ତି ସାଇବର ଠକ

1 min read

ଭୁବନେଶ୍ବର: ସାଇବର ଠକଙ୍କ ମାଧ୍ୟମ ହୋଇଛି ସ୍ମାର୍ଟ୍ ଫୋନ୍ । ଲୋନ୍ ଆପ୍, ଫେସ୍ ଆପ୍, କ୍ଲିନିଂ ଆପ୍ କରି ଲୋକଙ୍କୁ ଠକିବାର ନାଗଫାଶ ବିଛାଇ ଚାଲିଛନ୍ତି । ଅସୁରକ୍ଷିତ ଭାବେ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିଥିବା ଫ୍ରି ଆପ୍ ଏବେ ବଡ଼ ଚାଲେଞ୍ଜ୍ ହୋଇଛି । ଲୋକଙ୍କ ଫୋନ୍ବୁକ୍ ଓ ଗ୍ୟାଲେରୀରୁ ଫଟୋ ଡାଟାବେସ୍ ଚୋରି କରି ଅନ୍ୟତ୍ର ବ୍ୟବହାର କରି କୋଟି କୋଟି ଟଙ୍କା ଠକି ପାର୍ ହେଉଛନ୍ତି ସାଇବର ଠକ । ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ୍ ପାଇଁ ଆଣ୍ଡ୍ରଏଡ୍ ବଦଳରେ ଆଇଓଏସ୍ ସଂଚାଳିତ ସ୍ମାର୍ଟ୍ ଫୋନ୍କୁ ଲୋକେ ଏଣିକି ଅଧିକ ପସନ୍ଦ କରୁଛନ୍ତି ।

ଆପଣ ବୁଢା ହେଲେ କେମିତି ଦେଖାଯିବେ? ଡାଉନ୍ ଲୋଡ୍ କରନ୍ତୁ ଫେସ୍ ଆପ୍ । ଲୋକେ ନିଜ ବୁଢା ଚେହେରା ଦେଖିବାକୁ ପାଗଳ । ଡାଉନ୍ଲୋଡ୍ କଲେ ଫେସ୍ ଆପ୍ । ବିନା କାଗଜପତ୍ରରେ କେଇମିନିଟରେ ଆପଣଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଋଣ । ଲୋନ୍ ଆପ୍ । ସାଇବର ଠକଙ୍କ ଟାର୍ଗେଟ୍ରେ ଏବେ ସ୍ମାର୍ଟ ଫୋନ୍ ୟୁଜର୍ସ। ବାସ୍ ସ୍ମାର୍ଟ ଫୋନ ବ୍ୟବହାରକାରୀ ପ୍ଲେ ଷ୍ଟୋରରୁ ଫ୍ରି-ଆପ୍ ଡାଉନ୍ଲୋଡ କରିବାମାତ୍ରେ ଫୋନ୍ ବ୍ୟବହାରକାରୀଙ୍କ ଫଟୋ ସହିତ ସବୁ ସାଇବର ଠକ ଚୋରି କରିନିଅନ୍ତି । ଫୋନବୁକରେ ଥିବା ନମ୍ବର ସହିତ ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଯଦି ସେଭ୍ ଅଛି, ତାହେଲେ ସାଇବର ଠକଙ୍କ କଚ୍ଚେ ପୁଅ ବାର ।

ନିମିଷକେ ଏସବୁର କ୍ଲୋନିଂ କରି ସାଇବର ଠକ ଲିଙ୍କ୍ ପଠାଇ ଦିଅନ୍ତି । ବୁଦ୍ଧି ନ ଖଟାଇ ଲିଙ୍କ୍ ଖୋଲିଲେ ଚୁଟୁକିରେ ଲୋକଙ୍କ ଆକାଉଣ୍ଟରୁ ଲୁଟି ନିଅନ୍ତି କୋଟି କୋଟି । ସରକାରୀ ସ୍ତରରେ ଏ ନେଇ ସତର୍କ ବିଜ୍ଞାପନ ଦିଆଗଲେ ଫି ଦିନ ସାଇବର ଠକଙ୍କ ଶିକାର ହେଉଛନ୍ତି ସ୍ମାର୍ଟ ଫୋନ୍ ବ୍ୟବହାରକାରୀ । ମୋବାଇଲ୍ ଫୋନରେ ରାମ୍ ବୁଷ୍ଟ  କରିବାକୁ ପ୍ଲେ ଷ୍ଟୋରରରେ ମାଗଣାରେ ମିଳୁଛି ଭର୍ଚୁଆଲ୍ ରାମ ବୁଷ୍ଟର ଆପ୍, ଡିସ୍କ୍ କ୍ଲିନିଂ ଆପ୍, ମମୋରୀ କ୍ଲିନିଂ ଆପ୍ । ଫୋନ୍ ସ୍ବାପିଂ ସ୍ପିଡ୍ ବଢାଇବା ପ୍ରଲୋଭନ ଦେଖାଇଁ ଲୁଟି ନିଅନ୍ତି ସବୁକିଛି ଡାଟା ।

ଆଣ୍ଟି ଭାଇରସ୍ ଥିବା ସ୍ମାର୍ଟ୍ ଫୋନ୍ ବି ସାଇବର ଠକଙ୍କ ଦ୍ବାରା ବିକଶିତ ମାଲ୍ଓ୍ବେର ଓ ସ୍ପାମ୍ଓ୍ବେରରୁ ମୁକ୍ତ ନାହିଁ । ସାଇବର ଠକେଇ ନେଇ ପୋଲିସରେ ଅଭିଯୋଗ କଲେ ବି ଅଧିକାଂଶ କ୍ଷେତ୍ରରେ ସାଇବର ଠକଙ୍କୁ ଧରିହେଉନି । ସେପଟେ ପାର୍ବଣ ଋତୁରେ ନୂଆ ସ୍ମାର୍ଟ୍ ଫୋନ୍ କଣିବାକୁ ଦୋକାନରେ ଲାଗିଛି ଭିଡ଼ । ସାଇବର ଠକଙ୍କଠୁ ସୁରକ୍ଷିତ ରହିବା ପାଇଁ ଆଜିକାଲି ଗ୍ରାହକଙ୍କ ଭିତରେ ଆଣ୍ଡ୍ରଏଡ୍ ଫୋନ୍ଠାରୁ ଆଇଓଏସ ସଂଚାଳିତ ସ୍ମାର୍ଟ୍ ଫୋନ୍ ଚାହିଦା ଅଧିକ । କାହିଁକି ଓ କେମିତି?

ମୋବାଇଲରେ ଥିବା ଟ୍ରୁ କଲର ଆପ୍ରେ ବି ହେଉଛି ଠକେଇ । ଅଜଣା ଲୋକର ନାଁ ଦେଖାଉଥିବା ଟ୍ରୁ କଲରକୁ ସାଇବର ଠକେଇ ପାଇଁ ବ୍ୟବହାର କରାଯାଉଛି । ଜଣେ ନାମଧାରୀ ବ୍ୟକ୍ତି କିମ୍ବା ସଂସ୍ଥା ଏକାଧିକ ଲୋକ ବା ଗ୍ରୁପ ଦ୍ବାରା ବ୍ୟବହାର ହେଉଛି, ତାହେଲେ ସେଇ ନାଁରେ ଆପ୍ ବା ଅବୈଧ ସରକାରୀ ସଂସ୍ଥାର ଆପ୍ ଖୋଲି ସାଇବର ଠକ ଲୋକଙ୍କୁ ଠକିଚାଲିଛନ୍ତି ।