ଦିନିକିଆ ବିଶ୍ବକପ୍: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଭୁବନେଶ୍ବର: ଦିନିକିଆ ବିଶ୍ବକପରେ ଆଜି ସୁପର ସଣ୍ଡେରେ ସୁପର ମୁକାବିଲା । ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ଦକ୍ଷିଣ ଆଫ୍ରିକା । ମ୍ୟାଚକୁ ନେଇ ସାରା ବିଶ୍ବରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ୭ଟିରୁ ୭ଟି ଜିତି ଅପରାଜୟ ଥିବା ଭାରତ ବିଜୟ ଧାରା ବଜାଇ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ୭ଟି ମ୍ୟାଚରୁ ୬ଟି ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ବି ମ୍ୟାଚ୍ ଜିତିବାକୁ ପୂରା ଦମ ଲଗାଇ ଦେବ ।

ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେପଟେ ଦକ୍ଷିଣ ଆଫ୍ରିକା ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରିଛି । କୋଏଟିଜିଙ୍କ ସ୍ଥାନରେ ଖେଳିବେ ତାବରେଜ ସାମସି ।

ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବା ବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଛି । ଅନ୍ୟପଟଷ ଆଜି ବିରାଟ କୋହଲିଙ୍କ ୩୫ ତମ ଜନ୍ମଦିନ । ଏହି ଅବସରରେ ଆଜି ଇହେନ୍ ଗାର୍ଡେନରେ ୭୦ ହଜାର ମାସ୍କ ବଣ୍ଯନ କରାଯିବ । ଜନ୍ମଦିନରେ କୋହଲି ଆଜି ଇଡେନ ଗାର୍ଡେନରେ ଶତକ ମାରିବେ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।