କୋଲକାତା: ଇଡେନ ଗାର୍ଡେନରେ ଆଜି ବିଶ୍ବକପର ସୁପର ମୁକାବିଲା । ପରସ୍ପରକୁ ଭେଟିବେ ଦୁଇ ଶକ୍ତିଶାଳୀ ଓ ବିଶ୍ବକପ୍ ଦାବିଦାର ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଦିନ ୨ଟାରୁ ଆରମ୍ଭ ହେବ ଏହି ମହା ଟକ୍କର । ଉଭୟ ଦଳ ଏବେ ସେମିଫାନାଲରେ ପ୍ରବେଶ କରିସାରିଛନ୍ତି ।

୭ଟି ମ୍ୟାଚରୁ ସବୁ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ୭ଟିରୁ ୬ଟିରେ ବିଜୟ ଲାଭ କରି ଦ୍ବିତୀୟରେ ରହିଛି ଦକ୍ଷିଣ ଆଫ୍ରିକା । ସେମିଫାଇନାଲ ପୂର୍ବରୁ ଆଜିର ମ୍ୟାଚ ଜିତି ନିଜର ଦବଦବା ଜାହିର କରିବାକୁ ଉଭୟ ଟିମ୍ ରଣନୀତି କରିଛନ୍ତି ।

ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ । ଭାରତ ୨ଟିରେ ବିଜୟ ଲାଭ କରିଥିବାବେଳେ ୩ଟି ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା । ଉଭୟ ଦେଶ ମଧ୍ୟରେ ମୋଟ ୯୦ଟି ଦିନିକିଆ ଖେଳାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୫୦ ଓ ଭାରତ ୩୭ଟିରେ ବିଜୟୀ ହୋଇଛି । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଛି । ଦଳର ସମସ୍ତ ଖେଳାଳି ଫର୍ମରେ ଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଏଯାଏଁ ଟିମ୍ ଇଣ୍ଡିଆ ଅପରାଜିତ ରହିଛି ।