ମନ୍ଦିର ପରିସରରେ ପୂଜକଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନନ୍ଦିଘୋଷ ବ୍ୟୁରୋ: କଟକ ବିଡ଼ାନାସୀ ନୂଆ ସାହିରେ ଥିବା ଏକ ଧର୍ମାନୁଷ୍ଠାନରେ ଜଣେ ପୂଜକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି କହିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବିଡ଼ାନାସୀ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି। ମୃତକ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ସଂଗ୍ରାମ ସାମଲ। ଦୀର୍ଘ ୬ ବର୍ଷ ହେବ ସନ୍ନ୍ୟାସ ଗ୍ରହଣ କରି କଟକ ବିଡ଼ାନାସୀର ଏକ ମନ୍ଦିରରେ ପୂଜକ ଭାବେ ସେବା କରୁଥିଲେ। ଆଉ ଏଠାରେ ସଂଗ୍ରାମଙ୍କ ନାମ ବଦଳିଯାଇ ସ୍ୱରୂପ ଦାମୋଦର ପ୍ରଭୁ ବୋଲି ଲୋକେ ଡ଼ାକୁଥିଲେ। ତେବେ ସ୍ୱରୂପ ଗତକାଲି ନିଜର ନିତ୍ୟକର୍ମ ସାରି ମନ୍ଦିର ଉପରେ ଥିବା ତାଙ୍କ ବାସସ୍ଥାନକୁ ଆସିଥିଲେ। ଆସିବା ବେଳେ ତାଙ୍କ ରୁମ୍ ବାହାରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିଲା ସେ ରଶି ନେଇ ଭିତରକୁ ଯିବାର ଦୃଶ୍ୟ। ଏହାପରେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ସ୍ୱରୂପ ଦାମୋଦର ପ୍ରଭୁ ବାହାରକୁ ଆସି ନଥିଲେ। ସନ୍ଦେହ ବଢ଼ିବା ପରେ ମନ୍ଦିର କର୍ତ୍ତୃପକ୍ଷ ପୋଲିସକୁ ଏ ଘଟଣା ବିଷରେ ଅବଗତ କରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।