ଭାଙ୍ଗିଲା କଟକର ଐତିହାସିକ ପୋଲ ବଜ୍ରକବାଟି

କଟକ: ଭାଙ୍ଗିଲା କଟକ ସହରର ଅନ୍ୟତମ ପୂରାତନ ପୋଲ ବଜ୍ରକବାଟି । ସହରର ବ୍ରହତ ପ୍ରକଳ୍ପ ବକ୍ସ ଡ୍ରେନ ନିର୍ମାଣ କାମ ପାଇଁ ଏହି ଐତିହାସିକ ପୋଲକୁ ଭାଙ୍ଗିବା ଜରୁରୀ ଥିଲା । ମାତ୍ରାଧିକ ଟ୍ରାଫିକ ପାଇଁ ଏହା ମାସ ମାସ ଧରି ଅଟକି ରହିଥିଲା । ତେବେ ବ୍ରିଜର ଗୋଟିଏ ପାର୍ଶ୍ବ ଭଙ୍ଗା ଯିବା ସହିତ ଅସ୍ଥାୟୀ ରାସ୍ତା ତିଆରି କରାଯାଇ ଟ୍ରାଫିକକୁ ଶୃଙ୍ଖଳିତ କରାଯାଇଛି । ସହରର ରୂପାନ୍ତରିକରଣ ପ୍ରକ୍ରିୟାକୁ ସହରବାସୀ ସ୍ବାଗତ କରିଥିବାବେଳେ ଏହାର ସ୍ମୃତିକୁ ବଞ୍ଚାଇ ରଖିବାକୁ ଅନୁରୋଧ କରିଛନ୍ତି ।

ବ୍ରେକର ମାଡ଼ରେ ମାଟିରେ ମିଶିଲା ବ୍ରିଟିଶ ଅମଳର ପୋଲ । ଭାଙ୍ଗିଲା କଟକର ଐତିହାସିକ ବଜ୍ରକବାଟି ପୋଲ । ସହରର ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସହରର ଡ୍ରେନେଜ ଓ ଜଳବନ୍ଦୀ ସମସ୍ୟାକୁ ଦେଖି କଟକରେ ରାଜ୍ୟର ପ୍ରଥମ ବକ୍ସ ଡ୍ରେନ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହି କାର୍ଯ୍ୟ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଥିବା ବେଳେ ବଜ୍ରକବାଟି ପୋଲଭାଙ୍ଗି ଏହାକୁ ଏଥିରେ ମିଶାଇବା ଜରୁରୀ ଥିଲା । ତେବେ ଟ୍ରାଫିକ ସମସ୍ୟା ପାଇଁ କାମ ବିଳମ୍ବ ହେଉଥିଲା । ତେବେ ବ୍ରିଜର ଗୋଟିଏ ପାର୍ଶ୍ବ ଭଙ୍ଗା ଯିବା ସହ ଏକ ଆସ୍ଥୟୀ ରାସ୍ତା କରାଯାଇ ଟ୍ରାଫିକକୁ ଶୃଙ୍ଖଳିତ କରାଯାଇଛି । ପ୍ରଥମେ ବ୍ରେକରରେ ବ୍ରିଜ ଭଙ୍ଗାଯିବା ସହିତ ଏବେ ସିଟ ପାଇଲିଙ୍ଗ କାମ ଚାଲିଥିବା କହିଛି ନିର୍ମାଣକାରୀ ସଂସ୍ଥା ।

ବଜ୍ରକବାଟି ପୋଲ ସହ ଏହି ନାଁର ରହିଛି ବହୁ ପୁରୁଣା ସମ୍ପର୍କ । କୁହାଯାଏ ଏହି ପୋଲରେ ଥିବା ଲୁହାର ବିରାଟ କବାଟ ସହରକୁ ବନ୍ୟା ପାଣି ପ୍ରବେଶରୁ ରକ୍ଷା କରୁଥିଲା । ସହର ଓ ପାଣି ମଝିରେ ବଜ୍ର ପରି ଛିଡା ହୋଇଥିବାରୁ ଏହାର ନାଁ ବଜ୍ରକବାଟ ରଖାଯାଇଥିଲା । କାଳକ୍ରମେ ଏହି ଏହାର ନାଁ ବଜ୍ରକବାଟି ହୋଇଛି । ସହରର ବିକାଶ ପାଇଁ ଏହାକୁ ଭାଙ୍ଗାଯାଇଥିବାରୁ ଏହାକୁ ସ୍ବାଗତ କରିଥିବାବେଳେ ଏହାର ସ୍ମୃତି ବଞ୍ଚାଇ ରଖିବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।