ନନ୍ଦିଘୋଷ ବ୍ୟୁରୋ : ବେଆଇନ ଭାବେ ଚାଲୁଥିବା ସ୍କୁଲ ବସ୍ ବିରୋଧରେ କଟକ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ସକାଳୁ ଜାତମୁଣ୍ଡିଆ ଛକ ନିକଟରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବା ‘ଆଦିତ୍ୟ’ ନାମକ ୩ଟି ଘରୋଇ ବସ୍ ଉପରେ ଚଢ଼ାଉ କରାଯାଇଥିଲା। କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ୩ଟି ବସ୍କୁ ଜବତ କରିଛନ୍ତି। ଯାଞ୍ଚ ବେଳେ ୨ଟି ବସ୍ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍ର ଫିଟନେସ୍ ନଥିବା ଜଣାପଡ଼ିଥିଲା।
ଜବତ ହୋଇଥିବା ବସ୍ ମଧ୍ୟରୁ ଗୋଟିଏକୁ ସିଜ୍ କରି ନରାଜସ୍ଥିତ ପରିବହନ କାର୍ଯ୍ୟାଳୟକୁ ପଠାଯାଇଛି। ଅନ୍ୟ ୨ଟି ବସ୍ ଜାତମୁଣ୍ଡିଆ ପେଟ୍ରୋଲ ପମ୍ପ ନିକଟରେ ରଖାଯାଇଛି। ପରିବହନ ବିଭାଗର ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଏହି ବସ୍ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବସ୍ ଜବତ ହେବା ପରେ ରାସ୍ତା କଡ଼ରେ ଖରାରେ ଛାତ୍ରଛାତ୍ରୀମାନେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା।

