ନୂଆ ଅନ୍ଦାଜରେ ଚାଲିଛି କ୍ରିକେଟ ଖେଳ: ପଡ଼ିଆ ନୁହେଁ ଛାତ ଉପରେ ଚାଲିଛି ମ୍ୟାଚ୍

କଟକ: କ୍ରିକେଟକୁ ନେଇ କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ଖରାଦିନେ ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ ଟୁର୍ଣ୍ଣମେଣ୍ଟ । ମନୋରଞ୍ଜନ ସହିତ ଶାରୀରିକ ବ୍ୟାୟମକୁ ପ୍ରୋତ୍ସାହିତ କରିବାପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି ମୋମେଣ୍ଟମ ଜିମ୍ । ଆଉ ଏହାକୁ ବେଶ ଉପଭୋଗ କରିଛନ୍ତି କଟକ ବାସିନ୍ଦା ।

ତଳେ ପଡିଛି ସିନ୍ଥେଟିକ୍ ମ୍ୟାଟ୍ । ସୁରକ୍ଷା ପାଇଁ ଲାଗିଛି ନେଟ୍ । ଅମ୍ପାୟର ପ୍ରସ୍ତୁତ, ଖେଳାଳି ବି ପ୍ରସ୍ତୁତ । ବାଣ ଆଲୋକ ମଝିରେ ଏଣ୍ଟ୍ରି ମାରୁଛନ୍ତି ଖେଳାଳି । ଉତ୍ସାହିତ ଦର୍ଶକ । ଚାଲିଛି କ୍ରିକେଟ୍ ମ୍ୟାଚ୍ । ହେଲେ ଏହା କୌଣସି ଖେଳ ପଡ଼ିଆ ନୁହେଁ । ଘରର ଛାତ ଉପରେ ଆୟୋଜିତ ହୋଇଛି ମ୍ୟାଚ୍ । କଟକ ମାତାମଠରେ ଥିବା ଏକ ୪ ମହଲା ଛାତ ଉପରେ ଖେଳାଯାଉଛି ଟୁର୍ଣ୍ଣାମେଣ୍ଟ । ଛାତର ପରିସୀମାକୁ ନେଇ କରାଯାଇଛି ଛକା ଆଉ ଚଉକା ପାଇଁ ନିୟମ । ଫିଜିକାଲ ଫିଟନେସକୁ ନେଇ ଏଭଳି ଏକ ନିଆରା ପ୍ରୟାସକୁ ବେଶ ଉପଭୋଗ କରିଛନ୍ତି ଖେଳାଳି ।

୩ଟି ଟିମକୁ ନେଇ ଏମିତି ଏକ ନିଆରା ମ୍ୟାଚ୍ ଆୟୋଜନ ହୋଇଛି କଟକ ମାତାମଠ ସ୍ଥିତ ମୋମେଣ୍ଟମ ଜିମ୍ ସେଣ୍ଟର । ହାଲୋଜିନ୍ ଲାଇଟରେ ଖେଳାଯାଉଛି ମ୍ୟାଚ । କଟକରେ ଏଭଳି ଏକ ନିଆରା ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି ଦର୍ଶକ । ଆଉ ଏଭଳି ମ୍ୟାଚରେ ସାମିଲ ହେବାକୁ ଯୁବକ ମାନଙ୍କର ମଧ୍ୟ ଉତ୍ସାହ ବଢିଥିବା କହିଛନ୍ତି ଆୟୋଜକ ।  ଗଲି କ୍ରିକେଟ ପରେ ଏବେ ଟେରିସ୍ କ୍ରିକେଟର କ୍ରେଜ ବଢ଼ୁଥିବାରୁ ଆଗାମୀ ଦିନରେ ଏହାକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଆୟୋଜକ ।