ସୌନ୍ଦର୍ଯ୍ୟ ହରାଉଛି ‘ତାଳଦଣ୍ଡା’; ନର୍ଦ୍ଦମା ପାଣିକୁ ପଚା ପରିବା କେନାଲରେ ଲଗାଇଛି ଗ୍ରହଣ
କଟକ: ତାଳଦଣ୍ଡା କେନାଲ । ଓଡ଼ିଶା ଇତିହାସର ଅନ୍ୟତମ ମୂକସାକ୍ଷୀ ଏହି କେନାଲ ପୁଣି ନିଜର ସୌନ୍ଦର୍ଯ୍ୟ ହରାଇବାକୁ ବସିଛି । ବର୍ଷକ ମଧ୍ୟରେ ତାଳଦଣ୍ଡା ଯଥା ପୂର୍ବଂ ତଥା ପରଂ ସ୍ଥିତିକୁ ଆସିଯାଇଛି । ଆଉ ଏହାର କାରଣ ହେଉଛି ପ୍ରଶାସନିକ ଅବହେଳା ଓ ଆମ ପରି ମଣିଷ । ଯିଏ ପ୍ରକୃତିର ସୁରକ୍ଷାର ଅର୍ଥ କ’ଣ ବୁଝେ ନି କି ବୁଝିବାକୁ ଚେଷ୍ଟା କରେନି ।
କଟକ ସହରର ମୁଖ୍ୟ ଆକର୍ଷଣ ତାଳତଣ୍ଡାରେ ଅଳିଆ ଆବର୍ଜନା ସାଙ୍ଗକୁ ମିଶୁଛି ମାଲଗୋଦାମର ନର୍ଦମା ପାଣି । ଦୁଇପାର୍ଶ୍ଵ କଂକ୍ରିଟ କାନ୍ଥରେ ଉଠିଲାଣି ଗଛ । ଏ ସବୁକୁ ବଳି ଯାଇଛି କେନାଲରେ ପଡୁଥିବା ଛତ୍ର ବଜାରର କୁଢ଼କୁଢ଼ ପଚା ପରିବା । ପ୍ରକଳ୍ପ ପ୍ରତି ନା ଜଳ ସମ୍ପଦ ବିଭାଗ, ନା ସିଏମସିର ନିଘା ଅଛି । ଏହାସହ ଲୋକଙ୍କ ବଦଭ୍ଯାସ ଯୋଗୁଁ ଦିନକୁ ଦିନ ଦୂଷିତ ହେଉଛି କେନାଲ । ସେପଟେ ନିଜ ଦୋଷ ସ୍ବୀକାର କରିବା ସହ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ସିଏମସି ମେୟର ।
କୋଟି କୋଟି ଟଙ୍କା ବ୍ୟୟ କରାଯାଇ ନୂତନ ରୂପ ପାଇଥିଲା ତାଳଦଣ୍ଡା । କଟକ ସୌନ୍ଦର୍ଯ୍ଯକରଣରେ ସାଜିଥିଲା ମୁଖ୍ଯ ଆକର୍ଷଣ । ହେଲେ ବର୍ଷକ ଭିତରେ ହରାଇଲାଣି ଆକର୍ଷଣ । ଏଥିପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି କଟକବାସୀ । କେନାଲରେ ମିଶୁଛି ମାଲଗୋଦାମ ନର୍ଦ୍ଦମା ପାଣି । ଗଦା ହେଉଛି ଛତ୍ର ବଜାରର କୁଢ଼କୁଢ଼ ପଚା ପରିବା । ଲୋକେ ବି ଏହାରି ଭିତରେ ଘରର ଅନାବଶ୍ୟକ ସାମଗ୍ରୀ ଫିଙ୍ଗିବା ଆରମ୍ଭ କରିଦେଇଛନ୍ତି । କେନାଲର ଦୁଇପଟରେ ଅନାବନା ଘାସ ଓ ଗଛ ଉଠିଲାଣି । ଜଳସମ୍ପଦ ବିଭାଗ, ସିଏମସି ଓ ଲୋକଙ୍କ ଖରାବ ଅଭ୍ଯାସ ପାଇଁ ଆଉ କିଛି ଦିନ ଭିତରେ ପୁଣି ପୂର୍ବବସ୍ଥା ଫେରିବ ବୋଲି ଆଶଂକା କରିଛନ୍ତି ଲୋକେ ।
ତଳଦଣ୍ଡା କେନାଲରେ ଛତ୍ର ବଜାର ପଚା ପରିବା ସାଙ୍ଗକୁ ରାଣୀହାଟରେ ହୋଇଥିବା ଅଳିଆ ଜମା ସ୍ଥଳୀ କେନାଲର ଜଳକୁ ଦୂଷିତ କରୁଛି । ଏବେ କେନାଲର କାମ ସମ୍ପୂର୍ଣ ହୋଇନାହିଁ । ଏହାକୁ ଏକ ସ୍ମାରକୀ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ହାତକୁ ନିଆଯାଇଛି । କିନ୍ତୁ ପ୍ରଥମରୁ ଏପରି ଅବ୍ଯବସ୍ଥା ସମସ୍ତଙ୍କୁ ଚକିତ କରିଛି । ସେପଟେ ଏହାକୁ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ ।