ପୁଣି ଇତିହାସ ରଚିଲା ଏସସିବି ବଡ ମେଡିକାଲ, ବିନା ଆନାସ୍ଥେସିଆରେ କରାଗଲା ସର୍ଜରୀ

କଟକ: ଚିକିତ୍ସା ଜଗତରେ ପୁଣି ଇତିହାସ ରଚିଲା ଏସସିବି ବଡ ମେଡିକାଲ। ଏକମୋ ସପୋର୍ଟରେ ରଖି ମୁଖ୍ୟ ଶ୍ବାସନଳିରେ ଥିବା ଟ୍ୟୁମରର ହେଲା ସଫଳ ସର୍ଜରୀ । ବିନା ଆନାସ୍ଥେସିଆରେ ଏକମୋ ସପୋର୍ଟରେ ରଖାଯାଇ ଏହି ବିରଳ ଅପରେସନ କରାଯାଇଛି । ନୂଆ ଜୀବନ ପାଇଛନ୍ତି ଦେବଗଡ଼ର ରିଙ୍କୁ । ଏପରି ଅପରେସନ ଓଡିଶାରେ ପ୍ରଥମ ଥର ପାଇଁ ହୋଇଥିବା ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି । ଡାକ୍ତର ମନୋଜ ପଟ୍ଟନାୟକ ଓ ୧୨ ଜଣିଆ ଡାକ୍ତରୀ ଟିମ୍‌ଙ୍କ ଦୀର୍ଘ ୫ ଘଣ୍ଟାର ଅପରେସନ ସଫଳ ହୋଇଛି ।

ସୂଚନା ଅନୁସାରେ ଦେବଗଡ଼ର ରିଙ୍କୁ ଲହରା ଦୀର୍ଘ ଦିନ ହେବ ଶ୍ୱାସ ଜନିତ ରୋଗରେ ପୀଡିତ ଥିଲେ। ଗତମାସରେ ଏସସିବି ପଲମୁନାରୀ ବିଭାଗରେ ପରୀକ୍ଷା ପରେ ତାଙ୍କ ମୁଖ୍ୟ ଶ୍ୱାସନଳୀ ନିକଟରେ ୫ ସେଣ୍ଟିମିଟରର ଟ୍ୟୁମର ଥିବା ଜଣାପଡିଥିଲା। ତୁରନ୍ତ ଏହାର ଅପରେସନ ପାଇଁ ସର୍ଜରୀ ବିଭାଗକୁ ସୂଚନା ଦିଆଯାଇଥିଲା।

ସର୍ଜରୀ ସଫଳ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରିଙ୍କୁ । କୋଭିଡ ପାଇଁ ବ୍ୟବହୃତ ଏକମୋ ମେସିନରେ ଯେ ଏପରି ବିରଳ ଅସ୍ତ୍ରୋପଚାର ହୋଇପାରିବ ତାହା ଅସମ୍ଭବ ଲାଗୁଥିଲେ ବି ସମ୍ଭବ କରି ଦେଖାଇଛନ୍ତି ଡାକ୍ତର ମନୋଜ ପଟ୍ଟନାୟକଙ୍କ ଟିମ୍ ।