ଏସସିବି ମେଡିକାଲରେ ହେବ ରାଜ୍ୟର ପ୍ରଥମ ହାପଲୋ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ

1 min read

କଟକ: ଏସସିବି ମେଡିକାଲରେ ହୋଇଛି ରାଜ୍ୟର ପ୍ରଥମ ହାପଲୋ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ । ପୂର୍ବରୁ ହେମାଟୋଲୋଜି ବିଭାଗରେ ୧୪୬ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲେ ସୁଦ୍ଧା ୫୦ ପ୍ରତିଶତ ଏଚଏଲଏ ମ୍ୟାଚିଂରେ ଏହା ପ୍ରଥମ ଟ୍ରାନ୍ସପ୍ଲାଣ୍ଟ । ରୋଗୀ ଓ ଦାତାଙ୍କ ଏଚଏଲଏ ୫୦ ପ୍ରତିଶତ ମ୍ୟାଚ କରି ଏଭଳି ଅସ୍ତ୍ରୋପଚାର କରାଯାଇଛି । ଖୋର୍ଦ୍ଧା ବାଘମାରି ଅଞ୍ଚଳର ୧୯ ବର୍ଷୀୟ ସବ୍ୟସାଚୀ ସାହୁଙ୍କ ଶରୀରରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର । ଏଥିପାଇଁ ୪୦ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ସଯୋଗରୁ ଏସସିବିରେ ରୋଗୀଙ୍କୁ ମାଗଣାରେ ମିଳୁଛି ଏହି ସୁବିଧା ।

ଚିକିତ୍ସା କ୍ଷେତ୍ରରେ ଆଉଏକ ସଫଳତା । ଏସସିବିରେ ରାଜ୍ୟର ପ୍ରଥମ ହାପେଲ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ । ରାଜ୍ୟ ସରକାରଙ୍କ ସହଯୋଗରେ ମାଗଣା ଅସ୍ତ୍ରୋପଚାର । କଟକ ଏସସିବିରେ ରାଜ୍ୟର ପ୍ରଥମ ଏଚଏଲଏ ମ୍ୟାଚିଂ ହାପଲୋ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହିତ କରାଯାଇଛି । ଏହି ପଦ୍ଧତିରେ ରୋଗୀ ଓ ଡୋନର ମଧ୍ଯରେ ମାତ୍ର 50 ପ୍ରତିଶତ HLA ମ୍ୟାଚିଂ ପରେ ଅସ୍ତ୍ରୋପଚାର କରାଯାଇଛି । ପୂର୍ବରୁ ୯୦ ରୁ ୧୦୦ ପ୍ରତିଶତ HLA ମ୍ୟାଚ ନ ହେଲେ ଅସ୍ତ୍ରୋପଚାର ସମ୍ଭବ ନଥିଲା । କେବଳ ଭାଇ କିମ୍ବା ଭଉଣୀ ଡୋନର ହେଲେ ଏହା ସମ୍ଭବ ହେଉଥିଲା । ଫଳରେ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ମଧ୍ଯରୁ ମାତ୍ର ୧୦ ପ୍ରତିଶତ ରୋଗୀଙ୍କ ସଠିକ ଡୋନର ମିଳୁଥିଲେ । ଏବେ ଏହି ନୂଆ ପଦ୍ଧତିରେ ମାତ୍ର ୫୦ ପ୍ରତିଶତ HLA ମ୍ୟାଚିଂରେ ଟ୍ରାନ୍ସପ୍ଲାଣ୍ଟ  ସମ୍ଭବ ହୋଇପାରୁଛି ।

ପୂର୍ବରୁ ହେମାଟୋଲୋଜି ବିଭାଗରେ ୧୪୬ ରୋଗୀଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆମେରିକାରେ ମାତ୍ର ୩ ବର୍ଷ ତଳେ ଆରମ୍ଭ ହୋଇଥିଲା ହାପଲୋ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ । ହେଲେ ରାଜ୍ଯ ସରକାର ଓ ଡାକ୍ତରଙ୍କ ପ୍ରୟାସରୁ ଏବେ ଏସସିବିରେ ମିଳିପାରୁଛି ଏପରି ସୁବିଧା । ଖୋର୍ଦ୍ଧା ବାଘମାରିର ସବ୍ୟସାଚୀ ସାହୁଙ୍କ ଶରୀରରେ ଏହି ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ସବ୍ୟସାଚୀଙ୍କ ସାନ ଭାଇ ୧୫ ବର୍ଷିୟ ପ୍ରଭୁଦତ୍ତ ଡୋନର ଥିଲେ । ଏଥିପାଇଁ ରାଜ୍ୟ ବାହାରେ ୪୦ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ସମ୍ପୂର୍ଣ୍ଣ ମାଗଣାରେ ହୋଇଛି ଏହି ବିରଳ ଅସ୍ତ୍ରୋପଚାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀ ଓ ତାଙ୍କ ପରିବାର ।