ରୋଗୀଙ୍କ ଭରସା ହରାଉଛି କଟକ ଏସସିବି ମେଡିକାଲ, ଦୁଇଟି ସିଟି ସ୍କାନ ମେସିନ ପୂରଣ କରିପାରୁନାହିଁ ଲୋକଙ୍କ ଆବଶ୍ୟକତା !

କଟକ : ନିରାଶ କରୁଛି ଏସସିବି । ଅସନ୍ତୁଷ୍ଟ ରୋଗୀ ଓ ସମ୍ପର୍କୀୟ । ରୋଗୀ ପରାମର୍ଶ ଠାରୁ ଔଷଧ ସବୁ ମିଳୁଛି ମାଗଣା । ହେଲେ ଘରୋଇ ସଂସ୍ଥାର ମନମାନି ଯୋଗୁଁ ହଇରାଣ ହେଉଛନ୍ତି ରୋଗୀ । ଏପରି ଅବ୍ଯବସ୍ଥା ଦେଖିବାକୁ ମିଳିଛି ସିଟିସ୍କାନ ସେଣ୍ଟରରେ । ଯାହାର ଚିଠା ନିଆଯାଉଛି ତାର କେଉଁ ସମୟରେ ପରୀକ୍ଷା ହେବ ତାହା ଜଣାଉ ନାହାନ୍ତି ଅଧିକାରୀ । ଫଳରେ ଦିନ ଦିନ ଅପେକ୍ଷା କରି ଫେରୁଛନ୍ତି ରୋଗୀ ଓ ସମ୍ପର୍କୀୟ । ବ୍ଯବସ୍ଥାକୁ ସରଳୀକରଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ସମସ୍ୟାକୁ ସ୍ୱୀକାର କରିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ପ୍ରତିଦିନ ଏସସିବିର ଓପିଡି ଓ ଆଇପିଡିରେ ପ୍ରାୟ ୨ ଶହରୁ ଅଢେଇଶହ ସିଟି ସ୍କାନ ପାଇଁ ଡାକ୍ତରୀ ପରାମର୍ଶ ଆସୁଛି । ଗୋଟିଏ ମେସିନ ଥିବା ବେଳେ ଅନ୍ୟଟି ଘରୋଇ ସଂସ୍ଥା ସହାଭାଗିତାରେ ଚାଲିଛି । ତେବେ ଉପଲବ୍ଧ ବ୍ୟବସ୍ଥାରୁ ଆବଶ୍ୟକତା ଅଧିକ ଥିବାରୁ ସମସ୍ୟା ଉପୁଜୁଛି । ସରକାରଙ୍କୁ ଏନେଇ ଅବଗତ କରାଯାଇଛି । ଖୁବଶୀଘ୍ର ଆଉ ଗୋଟିଏ ମେସିନ ଏସସିବି ଆସିବ ବୋଲି ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ମେଡିକାଲ ମାନଙ୍କରେ ବ୍ୟବସ୍ଥା କରୁଛନ୍ତି । ହେଲେ ଘରୋଇ ସଂସ୍ଥାର ଅବହେଳାରୁ ଅନେକ ସମୟରେ ଅସୁବିଧାରେ ପଡୁଛନ୍ତି ରୋଗୀ ।