ଜାଇକା କାମ ନସରୁଣୁ ସମସ୍ଯା, କଟକ ନୂଆପଡା-ଖାନନଗର ରାସ୍ତାରେ ଫାଟିଲା ସ୍ବରେଜ ଚାମ୍ବର

1 min read

ନନ୍ଦିଘୋଷ ବ୍ୟୁରୋ: ଦବିଲା କଟକ ଖାନନଗର ନୂଆପଡା ଦେଇ ଯାଇଥିବା ମୁଖ୍ୟ ରାସ୍ତା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୱାଟକୋ ସ୍ୱରେଜ ପ୍ରକଳ୍ପ ଚାମ୍ବର ଚାରିପଟେ ୧୦ ଫୁଟ ଗର୍ତ୍ତ ସାଙ୍ଗକୁ ୨୦ ଫୁଟ ଦବିଗଲା ରାସ୍ତା । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସ୍ବରେଜ ଲାଇନ ଦବିବା ପରେ ଅଞ୍ଚଳରେ ଆତଙ୍କିତ ହୋଇଛନ୍ତି ଲୋକେ । ଏଥିପାଇଁ ପ୍ରକଳ୍ପ ଯନ୍ତ୍ରୀ ଓ ନିର୍ମାଣକାରୀ ସଂସ୍ଥାକୁ ଦାୟୀ କରିଛନ୍ତି ଅଞ୍ଚଳବାସ । ସେପଟେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ମରାମତି କରାଯାଇଥିବାବେଳେ ଖୁବଶୀଘ୍ର ବୈଠକ ଡାକି ସମୀକ୍ଷା କରାଯିବ ବୋଲି କହିଛନ୍ତି ମେୟର ।

ଜାଇକା କାମ ନ ସରୁଣୁ ସମସ୍ଯା । ରାସ୍ତାରେ ଭୁସୁଡିଲା ସ୍ବରେଜ୍ ଚାମ୍ବର । ସହରରେ ସୃଷ୍ଟି ହେଲା କୃତ୍ରିମ ବନ୍ଯା । ରାସ୍ତା ଦବିବାରୁ ଯାତାୟାତ ଠପ୍ । ସଂସ୍ଥା ଉପରେ ଅସନ୍ତୋଷ ଝାଡ଼ିଲେ ଅଞ୍ଚଳବାସୀ । କଟକ ଜାଇକା ସ୍ୱରେଜ ପ୍ରକଳ୍ପ ନସରୁଣୁ ନୂଆପଡା-ଖାନନଗରଦେଇ ଜାତୀୟ ରାଜପଥକୁ ପଡ଼ିଥିବା ରାସ୍ତାରେ ଭୁସୁଡ଼ିଯାଇଛି ପ୍ରକଳ୍ପ ଚାମ୍ବର । ରାସ୍ତାରେ ୧୦ ଫୁଟ ଗର୍ତ୍ତକୁ ୨୦ ଫୁଟ ମୁଖ୍ୟ ରାସ୍ତା ଧସି ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ୱାଟକୋ କତୃପକ୍ଷ ଓ ନିର୍ମାଣକାରୀ ସଂସ୍ଥା ଏଲଆଣ୍ଡଟିକୁ ଦୋଷାରୋପ କରିଛନ୍ତି । ପ୍ରକଳ୍ପ ଅଞ୍ଚଳର ଚାରିପଟେ ବାଲି ପରିବର୍ତ୍ତେ ଖୋଲାଥିବା ମାଟି ଭର୍ତ୍ତି କରାଯାଇଛି ।  ଫଳରେ ବର୍ଷା ସାଙ୍ଗକୁ ନଦୀରେ ପାଣି ବଢ଼ିବାରୁ ମାଟି ଦବି ଏପରି ସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଜନଗହଳି ରାସ୍ତାରେ ହଠାତ ରାସ୍ତା ଭୁସୁଡି ପଡ଼ିବାପରେ ନିଶ୍ଚିତ ବିପଦରୁ ରକ୍ଷା ପାଇଛନ୍ତି ଅନେକ ଯାତ୍ରୀ । ମୁଖ୍ୟ ରାସ୍ତାରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତ ସମ୍ପୂର୍ଣ ବନ୍ଦ ରହିଛି । ସ୍ବରେଜ ଭୁସୁଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବର୍ଷା ଆରମ୍ଭରୁ ଯଦି ଏପରି ଅବସ୍ଥା, ତେବେ ଆଗକୁ କଣ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସେପଟେ ମେୟରଙ୍କ ସମେତ ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗର୍ତ୍ତ ମରାମତି କରିବା ସହିତ ଏହାର ସମସ୍ତ ପଏଣ୍ଟ ଯାଞ୍ଚ ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏହି ସମସ୍ୟା ସାମ୍ନାକୁ ଆସୁଥିବାରୁ ବୈଠକ କରି ଏହାର ସ୍ଥାୟୀ ସମାଧାନ ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।