ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

କଟକ: କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର 9 ସରକାରୀ କ୍ବାର୍ଟର୍ସରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁବାସ । ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଏସସିବିକୁ ନିଆଯାଇଛି ।

ସୁବାସ ଦୁଇ ଦିନ ଛୁଟିରେ ଥିବା ସହ ଆଜି ସକାଳେ ପୁଣି ଫୋନ୍ କରି ଛୁଟି ନେଇଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି ଏସିପି । ଘଟଣାସ୍ଥଳରୁ ଏକ ରଶି ଜବତ କରାଯାଇଛି ।

ସ୍ତ୍ରୀ ଓ ଝିଅ ଘରେ ନଥିବା ବେଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଭୁବନେଶ୍ବରରୁ ଫେରିବା ପରେ ସୁବାସ ରଶିରେ ଝୁଲୁଥିବା ଦେଖିଥିଲେ ପତ୍ନୀ । ରଶି କାଟି ସୁବାସଙ୍କୁ ହସ୍ପଟିଲା ନେଇଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛି । ପାଖ ଲୋକଙ୍କୁ ପଚରାଉଚରା କରାଯିବ ବୋଲି ଏସିପି ତାପସ ପ୍ରଧାନ କହିଛନ୍ତି ।

ସେପଟେ ୮ ଦିନ ତଳେ ସୁବାସ ଗାଁକୁ ଯାଇଥିଲେ । ମାଆଙ୍କ ଦେହ ଭଲ ନଥିବାରୁ ତାଙ୍କୁ ଭୁବନେଶ୍ବର ଆଣି ଚିକିତ୍ସା କରିବେ ବୋଲି ସୁବାସ କହିଥିବା ତାଙ୍କ ଭଉଣୀ କହିଛନ୍ତି ।

ବାପାଙ୍କ ଶ୍ରାଦ୍ଧ ଦିବସରେ ଜୀବନ ହାରି ଦେଇଛନ୍ତି ବିଚାରପତି ସୁବାସ କୁମାର ବିହାରୀ । ସୁବାସଙ୍କ ଆତ୍ମହତ୍ୟା ପରେ ଯାଜପୁର ଜିଲ୍ଲା ପଞ୍ଚାୟତ ମଠ ଗାଁରେ ଶୋକାକୁଳ ପରିବେଶ  ସୃଷ୍ଟି ହୋଇଛି । ଆଜି ବାପାଙ୍କ ଶ୍ରାଦ୍ଧ ଦେବାକୁ ଗାଁକୁ ଯିବାର ଥିଲା । ହେଲେ ଏମତି ଅଘଟଣ ଘଟିବ ବୋଲି କେହି ଭାବି ନଥିଲେ । ହେଲେ ହଠାତ୍ ଆତ୍ମହତ୍ୟା ଘଟଣାକୁ  କେହି ବିଶ୍ବାସ କରି ପାରୁନାହାଁନ୍ତି । ଶେଷଦେବ ବାସନ୍ତୀ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ବିରଜା ଲ’ କଲେଜରେ ପାଠ ପଢିବା ପରେ ଯାଜପୁରରେ ଲ’ ପ୍ରାକ୍ଟିସ କରିଥିଲେ । ୨୦୦୪ରେ ଓଜେଏସ୍ ପାଇ ବିଚାରପତି ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଗାଁରେ ତାଙ୍କ ମାଆ ଓ ସାନ ଭାଇ ରହୁଥିଲେ ।

ଏପଟେ ବିଚାରପତିଙ୍କ ଶେଷ ବିଚାରକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁବାସ କାହିଁକି ଆତ୍ମହତ୍ୟା କଲେ ? ଅନ୍ୟକୁ ନ୍ୟାୟ ଦେଉଥିବା ଜଜ୍ ସାହେବ କାହିଁକି ନିଜ ପ୍ରତି କଲେ ଏମିତି ଅନ୍ୟାୟ ? କେଉଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ଜୀବନ ସାରି ଦେବାକୁ ? ପାରିବାରିକ, ବୃତ୍ତିଗତ ନା ବ୍ୟକ୍ତିଗତ ସମସ୍ୟାକୁ ନେଇ ଲଢୁଥିଲେ ସୁବାସ ? କେଉଁ ଜଟିଳ ପରିସ୍ଥିତିର ସମାଧାନ ପାଇଁ ସୁତ୍ର ପାଇ ନଥିଲେ ବିଚାରପତି ? ପୋଲିସ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ସୁବାସଙ୍କ ପତ୍ନୀ ଓ ଦୁଇଝିଅଙ୍କ ବୟାନ ହିଁ ଘଟଣା ଉପରୁ ପରଦା ହଟାଇବ ବୋଲି ଆଶା କରାଯାଉଛି । କାରଣ ଆଜି ଥିଲା ବାପାଙ୍କ ଶ୍ରାଦ୍ଧ । ଏଭଳି ଏକ ଦିନରେ ସେ କଟକରେ ରହିବା କଥା ନହେଲେ ସପରିବାରେ ଘରକୁ ଯିବା କଥା । ହେଲେ ଆଜି ସେ ଘରେ ଥିଲେ ଏକା । ସ୍ତ୍ରୀ ଓ ପିଲାମାନେ ଆସିଥିଲେ ଭୁବନେଶ୍ବର । ତେଣୁ ଏଭଳି ଏକ ଦିନରେ ସୁବାସଙ୍କ ଆତ୍ମହତ୍ୟା ସସପେନ୍ସକୁ ବଢ଼ାଇ ଦେଇଛି ।