ପାର୍କିଂ ନଥିଲେ କଟକରେ ବନ୍ଦ ହେବ ଘରୋଇ ହସ୍ପିଟାଲ

ନନ୍ଦିଘୋଷ ବ୍ୟୁରୋ: ପାର୍କିଂ ନଥିଲେ ଆଉ କଟକ ସହରରେ ଚାଲିପାରିବନାହିଁ ଘରୋଇ ହସ୍ପିଟାଲ । କେବଳ ବେପାର ଉଦ୍ଦେଶ୍ୟରେ ନିୟମ କୁ ଖିଲାପକରି ହସ୍ପିଟାଲ ଚଳାଇଥିବା ମାଲିକଙ୍କ ମୁଣ୍ଡରେ ଝୁଲିଲା କଡା ନିୟମର ଖଣ୍ଡା । ସିଏମସି କମିଶନର ଏନେଇ ନିର୍ଦ୍ଦେଶ ଜାରି କରିବା ସହିତ ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧକ୍ଷତାରେ ଗଠନ କରିଛନ୍ତି ଜଏଣ୍ଟ କମିଟି । ଚଢ଼ାଉରେ ପାର୍କିଙ୍ଗ ନଥିବା ଜଣାପଡିଲେ ହସ୍ପିଟାଲ ସିଲ ହେବ ସ୍ପଷ୍ଟ କରିଛନ୍ତି ସିଏମସି କତୃପକ୍ଷ । ସେପଟେ ଏହି ନିୟମକୁ ଘରୋଇ ହସ୍ପିଟାଲ ସଂଘର ବରିଷ୍ଠ ସଦସ୍ୟ ସ୍ବାଗତ କରିଥିବା ବେଳେ ସହରବାସୀ ଏହି ନିୟମର କଡାକଡି କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।
ପାର୍କିଂ ନଥିଲେ କଟକରେ ବନ୍ଦ ହେବ ଘରୋଇ ହସ୍ପିଟାଲ । ନିୟମ ଖିଲାପ କରିଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ । ସିଏମସି କମିଶନର ଜାରିକଲେ ନିର୍ଦ୍ଦେଶନାମା । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧକ୍ଷତାରେ ଜଏଣ୍ଟ କମିଟି ଗଠିତ । ଏଣିକି କଟକରେ ର୍ନିମାଣ ହୋଇଥିବା ହସ୍ପିଟାଲ ଗୁଡିକରେ ପାର୍କିଙ୍ଗ ନଥିଲେ ମିଳିବ ନାହିଁ ପଞ୍ଜିକରଣ ପ୍ରମାଣପତ୍ର । ଯିଏ ଏହି ସୁବିଧା ନଥାଇ ହସ୍ପିଟାଲ ଚଳାଉଥିବେ ପଞ୍ଜିକରଣ ରଦ୍ଦ କରାଯିବ । ତେବେ ଜଏଣ୍ଟ କମିଟିରେ ଅଗ୍ନିଶମ, ସିଡିଏ ଯୋଜନା ବିଭାଗ, ସିଡିଏମଓ, ସିଏମସି, ପ୍ରଦୂଷଣ ବୋର୍ଡର କର୍ତ୍ତୃପକ୍ଷ ସଦସ୍ୟ ରହିବେ । ଘରୋଇ ହସ୍ପିଟାଲ ଚାଲିବା ପାଇଁ ଆବଶ୍ୟକ ସବୁ ନିୟମ ସହିତ ପାର୍କିଙ୍ଗକୁ କମିଟି କଡାକଡି ଦେଖିବେ, ଯଦି ପାର୍କିଂ ନଥିବ ବା ଅବଶ୍ୟକତା ଠାରୁ ଯଥେଷ୍ଟ କମ ଥିବ ତେବେ ଏହାକୁ ଫାଇନ ସହିତ ସିଲ କରିଦିଆଯିବ । କମିଟିର ୩ଟି ପର୍ଯ୍ୟାୟ ବୈଠକ ସରିଛି । ଗୁରୁବାର ଠାରୁ ଧାରାବାହିକ ଭାବରେ ସହର ବିଭିନ୍ନ ପ୍ରାନ୍ତରେ ଏହି ତନଖି ପକ୍ରିୟା ଚାଲିବ ବୋଲି ଜଣାଇଛନ୍ତି ସିଏମସି କର୍ତ୍ତୃପକ୍ଷ ।
କଟକରେ ପୂର୍ବଭାରତର ରେଫେରାଲ ଏସସିବି ବଡ଼ ମେଡିକାଲ ରହିଛି । ଉତ୍ତମ ଚିକିତ୍ସା ଆଶାରେ ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଆସନ୍ତି । ତେବେ ସମସ୍ତେ ଆଶାନୁରୂପକ ଚିକିତ୍ସା ପାଆନ୍ତିନାହିଁ । ଏହି ରୋଗୀ ମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ରାଣୀହାଟ, ମଙ୍ଗଳାବାଗ କାଠଗୋଲା,ଯୋବ୍ରା ବଜ୍ରକବାଟି ମହାନଦୀବିହାର, ସିଡିଏ ତୁଳସିପୁର ଆଦି ଅଞ୍ଚଳରେ ମାଳ ମାଳ ଘରୋଇ ହସ୍ପିଟାଲ ଖୋଲାଯାଇଛି । ଏଥିରୁ ଅଧିକାଂଶ ହସ୍ପିଟାଲଙ୍କ ନାହିଁ ଆବଶ୍ୟକ ପାର୍କିଂ ବ୍ୟବସ୍ଥା । ସ୍ୱାସ୍ଥ୍ୟ ବ୍ୟବସାୟରେ ମାତି ଥିବା ଅନେକ ହସ୍ପିଟାଲ ମାଲିକ ନିୟମର ଖିଲାପକରି ବର୍ଷ ବର୍ଷ ଧରି ଚଳାଇଛନ୍ତି ହସ୍ପିଟାଲ । ଯାହା ବେଆଇନ, ତେବେ କମିଶନରଙ୍କ ଏହି ନିୟମକୁ ଘରୋଇ ହସ୍ପିଟାଲ ସଂଘର ବରିଷ୍ଠ ସଦସ୍ୟ ସମର୍ଥନ କରିବା ସହିତ ସ୍ୱାଗତ କରିଛନ୍ତି । ସେପଟେ ସହରବାସୀ ନିୟମର କଡାକଡି ଲାଗୁ ଉପରେ ସନ୍ଦେହ ପ୍ରକାଶ କରି ପକୃତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।