spot_img

Latest Posts

ପୁଣି ଚାଲିପାରିବେ ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଝିଅ

ନନ୍ଦିଘୋଷ ବ୍ୟୁରୋ: ପୁଣି ଚାଲିପାରିବେ ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଝିଅ । କଟକ ବଡ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବିରଳ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି । କଟି ଯାଇଥିବା ଗୋଡ ପୁଣି ଶରୀରେ ଜୋଡିଛନ୍ତି ଡାକ୍ତର । ମୟୂରଭଞ୍ଜ ବେତନଟୀରେ ସଡକ ଦୁର୍ଘଟଣାରେ ନିଜର ବାମଗୋଡ ସଂପୂର୍ଣ୍ଣ ଭାବେ ହରାଇଥିଲେ ୮ ବର୍ଷର କୁନି ଝିଅ ବୈଷ୍ଣବୀ।  କଟକ ବଡ ମେଡିକାଲର ତାଙ୍କ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇ କଟିଥିବା ଗୋଡକୁ ପୁଣି ଥରେ ଲଗାଯାଇଛି। ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବୈଷ୍ଣବୀର ଗୋଡ ଜଙ୍ଘ ତଳୁ ପୁରା କଟି ଅଲଗା ହୋଇ ଯାଇଥିଲା।  ପ୍ରାଥମିକ ଚିକିତ୍ସା କରି ତାକୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ ବେତନଟୀ ଡାକ୍ତରଖାନା କର୍ତ୍ତୃପକ୍ଷ । ଗୁରୁତର ରୋଗୀ ସହ ଗୋଡଟିକୁ ବରଫାବୃତ ଜରିରେ ପ୍ୟାକିଂ କରି ସାଥିରେ ଧରି ଆସିଥିଲେ ପରିବାର ଲୋକ। ଏଠାରେ ରାତି ୧୨ଟାରୁ ରାତି ୩ଟା ପର୍ଯ୍ୟନ୍ତ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସରିବା ପରେ ଆଜି ବୈଷ୍ଣବୀର ଚେତା ଆସିବା ପରେ ସେ କଥାବାର୍ତ୍ତା କରୁଛି ଓ ଖାଇବାକୁ ମାଗୁଛି । ଆଉ ୧୫ ଦିନ କାଳ ଏଠାରେ ଚିକିତ୍ସିତ ହେବା ପରେ ଯୋଡା ଯାଇ ଥିବା ଗୋଡରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।

Latest Posts

Don't Miss