spot_img

Latest Posts

ମକର ସଂକ୍ରାନ୍ତି ପୂର୍ବରୁ କଟକରେ ମାଞ୍ଜାସୂତା ଆତଙ୍କ, କଟିଗଲା ଯୁବକଙ୍କ ବେକ

ନନ୍ଦିଘୋଷ ବ୍ୟୁରୋ: ମକର ସଂକ୍ରାନ୍ତି ପୂର୍ବରୁ କଟକରେ ମାଞ୍ଜାସୂତା ଆତଙ୍କ । ଆଜି ପୁଣି କଟକ ବେଲଭ୍ଯୁ ଛକରେ ଚାଇନିଜ ମାଞ୍ଜାରେ ଜଣେ ଯୁବକଙ୍କ ବେକ କଟି ଯିବାରୁ ଆହତ ହୋଇଛନ୍ତି । କଟକଣା ସତ୍ତ୍ବେ କେଉଁଠୁ ଆସୁଛି ଏହି ବିପଦଜନକ ସୂତା ତାକୁ ନେଇ ଉଠିଛି ପ୍ରଶ୍ନ । ଜିଲ୍ଲା ପ୍ରଶାସନ, ପୋଲିସ, ସିଏମସି ଏନଫୋର୍ସମେଣ୍ଟ ଛୋଟ ଛୋଟ ଦୋକାନ ଦୋକାନ ଗୁଡ଼ିକରେ ଚଢ଼ାଉ କରି ଚୂପ ବସିଥିବା ଲୋକେ ଅଭିଯୋଗ କରିଛନ୍ତି ।

କଟକକୁ ମାଞ୍ଜା ବିପଦ । ମକର ପୂର୍ବରୁ ଆକାଶରେ ଉଡ଼ିଲାଣି ଗୁଡ଼ି । ବିପଦପୂର୍ଣ୍ଣ ଚାଇନିଜ୍ ସୂତା ଲଗାଇ ଗୁଡ଼ି ଉଡ଼ାଉଛନ୍ତି ଲୋକେ । ପୁଣି ମାଞ୍ଜା ସୂତାରେ ବେକ କଟି ଜଣେ ଯୁବକ ଆହତ । ଆଉ ଦିନ କେଇଟା ପରେ ମକର ସଂକ୍ରାନ୍ତି । ଏବେଠାରୁ ଲୋକଙ୍କ ଭିତରେ ଲାଗିଲାଣି ଗୁଡ଼ିଉଡ଼ା ପ୍ରତିଯୋଗିତା । କିଏ ଛାତ ଉପରେ ତ କିଏ ଖୋଲା ପଡ଼ିଆ ଓ ନଈ ପଠାରେ ଉଡ଼ାଉଛନ୍ତି ଗୁଡ଼ି । କିଛିଲୋକ ଚାଇନିଜ ମାଞ୍ଜା ସୂତା ବ୍ଯବହାର କରୁଥିବାରୁ ବିପଦ ସୃଷ୍ଟି ହୋଇଛି । ଚୌଧୁରୀ ବଜାର, ପିଠାପୁର, ଝୋଲାସାହି ଅଞ୍ଚଳରେ ଥିବା ଗୁଡ଼ି ଦୋକାନରେ ଚଢାଉ କରି ବିପଦଜନକ ସୂତା ଜବତ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ ।

ସକାଳେ କଟକ ବେଲଭ୍ୟୁ ଛକ ନିକଟରେ ଜଣେ ଯୁବକଙ୍କ ବେକ ଚାଇନିଜ୍ ମାଞ୍ଜା ସୂତା ଲାଗି ଆହତ ହୋଇଛନ୍ତି । ତେବେ ଏହି ଅଘଟଣ ନୂଆ ନୁହେଁ ଗତବର୍ଷ ମକର ସଂକ୍ରାନ୍ତିରେ ମାଞ୍ଜା ସୂତା ଲାଗି ନୂଆ ବଜାର ଓଭର ବ୍ରିଜରେ ଜଣେ ଯୁବକଙ୍କ ଆଙ୍ଗୁଠି କଟି ଯାଇଥିଲା । ୨୦୨୨ ଜାନୁଆରୀ ୧୧ରେ ଭୁବନେଶ୍ବର ଡୁମୁଡୁମା ପାଲା ମଣ୍ଡପ ନିକଟରେ ମାଞ୍ଜା ସୂତାରେ ୩ ଜଣ ସ୍କୁଟି ଆରୋହୀ ଆହତ ହୋଇଥିଲେ । ତେବେ ପର୍ବ ପାଳନ କରିବାକୁ କେହି ଆକଟ କରୁ ନାହାନ୍ତି, କିନ୍ତୁ ଏପରି ବିପଦପୂର୍ଣ୍ଣ ସୂତା ବ୍ଯବହାର ନକରିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ ।

୨୦୧୬ ଜୁଲାଇରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ମାଞ୍ଜା ସୂତା ଉପରେ ନିଷେଧାଦେଶ ଜାରି କରିଥିଲେ । ୨୦୧୭ ଜାନୁଆରୀ ୧୩ ରେ ଚୀନ ତିଆରି ମାଞ୍ଜା ସୂତା ଉପରେ ନିଷେଧାଦେଶ ବଳବତ୍ତର ରହିବ ବୋଲି କହିଥିଲେ ସୁପ୍ରିମକୋର୍ଟ । ପରିବେଶ ସୁରକ୍ଷା ଆଇନ ଅନୁସାରେ ମଧ୍ୟ ମାଞ୍ଜା ପରି ବିଭିନ୍ନ ମାଧ୍ୟମ ଓ ବିଭିନ୍ନ ବିପଜ୍ଜନକ ସାମଗ୍ରୀକୁ ନିଷିଦ୍ଧ କରାଯାଇଛି । ଏହାସତ୍ତ୍ବେ ପ୍ରଶାସନର ଅବହେଳାରୁ ବିଭିନ୍ନ ସ୍ଥାନରେ ଏହାକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।

Latest Posts

Don't Miss