ପାଖେଇ ଆସୁଛି ନୂଆବର୍ଷ; ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଟକ: ବଦଳିବ କ୍ୟାଲେଣ୍ଡର। ବିଦାୟ ନେବ ୨୦୨୩। ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିବ ୨୦୨୪। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଏବେ ସବୁଠି ପ୍ରସ୍ତୁତି। କଟକର ବିଭିନ୍ନ କ୍ଲବ ଓ ହୋଟେଲ ଗୁଡିକରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଓଲିଉଡ, ବଲିଉଡ କଳାକାରଙ୍କ ସହ ବେଲି ଡ୍ୟାନ୍ସ। ଜିରୋ ନାଇଟ୍ ରାତିରେ ଝୁମିବେ କଟକର ଯୁବପୀଢି। ସେଲିବ୍ରେସନ ସହ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କଟକର ବିଭିନ୍ନ କ୍ଲବ ହୋଟେଲରେ ଏଥିପାଇଁ ବ୍ୟାପକ ଆୟୋଜନ। କଟକର ୩ଟି ପ୍ରମୁଖ କଟକ କ୍ଲବ, ୟୁନିଅନ କ୍ଲବ ଓ ଓସିଏ କ୍ଲବରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ୟୁନିଅନ କ୍ଲବରେ ବଲିଉଡ ସିଙ୍ଗର ଅଭିଷେକ ଓ ଶୁଭଶ୍ରୀଙ୍କ ସହ ସ୍ପାଇସ୍ ଡ୍ୟାନ୍ସ ଗ୍ରୁପର ପ୍ରଦର୍ଶନ ଦେଖିବାକୁ ମିଳିବ। ସେହିଭଳି ଓସିଏ କ୍ଲବରେ ଅନ୍ତରା ଚକ୍ରବର୍ତ୍ତୀ, ଦୀପାଲି ସଥେ, ନକାଶ ଅଜିଜଙ୍କ ସହ ସିଜଲର ଡ୍ୟାନ୍ସ ମତୁଆଲା କରିବ ସହରର ସର୍ଵପୁରାତନ କଟକ କ୍ଲବରେ ତାରିକ ଅଜିଜ ଓ ଜାଗୃତି ମିଶ୍ରଙ୍କ ଡ୍ୟାନ୍ସ ସହ ଅନେକ ଓଲିଉଡ଼ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି।

କେବଳ କ୍ଲବ ନୁହେଁ, ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ବି ଚାଲିଛି ବ୍ୟାପକ ପ୍ରସ୍ତୁତି। ସେପଟେ ଜିରୋ ନାଇଟ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ସହ ପୁରା ସହରରେ ପୋଲିସ ମୁତୟନ ରହିବେ। ମଦ ପିଇ ଗାଡ଼ି ଚଳାଇଲେ କିମ୍ବା ବିଶୃଙ୍ଖଳା କଲେ କରାଯିବନି ବରଦାସ୍ତ। ଅପରପକ୍ଷେ ନିୟମ ମାନି ଉତ୍ସବ ପାଳିବାକୁ ନିବେଦନ କରିଛନ୍ତି ଡିସିପି।