ଜନ୍ମଦିନ ପାଳିବାକୁ କ୍ଯାଫେକୁ ଡାକି ଅଶ୍ଳୀଳ ଭିଡିଓ ସୁଟ୍ ପରେ ବ୍ଲାକମେଲ
କଟକ : ସୈତାନ ସାଜିଲା ପୁରୁଷ ବନ୍ଧୁ । ବିଶ୍ବାସରେ ବିଷ ଦେଇ ଲୁଟିନେଲା ଇଜ୍ଜତ । ଭାଇଚାରାର ସହରରେ ଲଜ୍ଜା । ବନ୍ଧୁଙ୍କ ସହ ମିଶି ଗଣ ଦୁଷ୍କର୍ମ ପରେ ବ୍ଲାକମେଲ୍ । ସହପାଠୀଙ୍କ ସହ ୬ ଜଣଙ୍କୁ ବାନ୍ଧିଲା କଟକ ପୋଲିସ୍ । ସହପାଠୀ ଭାବି ଅଧିକ ବିଶ୍ବାସ କରୁଥିଲା । ଏହାର ଫାଇଦା ନେଇ କ୍ୟାଫେରେ ବାନ୍ଧବୀର ଜନ୍ମ ଦିନ ପାଳିବା ଆଳରେ ଡାକିଥିଲା । ପୂର୍ବ ଯୋଜନା ମୁତାବକ ଆପତ୍ତି ଜନକ ଚିତ୍ର କ୍ୟାଫେ ମାଲିକ ଉତ୍ତଳନ କରି ଛାତ୍ରୀଙ୍କୁ ମାସାଧିକ ସମୟ ଧରି ବ୍ଲାକ ମେଲ କରିଥିଲେ । ବାରଙ୍ଗ ଡକାଇ ତାଙ୍କ ସହିତ କଲେ ଗଣ ଦୁଷ୍କର୍ମ । ଘଟଣା ଏବେ କଟକରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବାବେଳେ ବାଦାମବାଡ଼ି ଓ ପୁରୀଘାଟ ପୋଲିସ ମାମଲାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଳ କରିଛି । ଏପରି ଜଘନ୍ଯ ଘଟଣାକୁ କେବେ ବରଦାସ୍ତ କରାଯିବ ନାହିଁ ଓ ଖୁବଶୀଘ୍ର ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ବୋଲି କହିଛନ୍ତି ଡିସିପି । ସେପଟେ ଘଟଣାକୁ ନିନ୍ଦା କରିବା ସହ ଏପରି ଘଟଣାରେ ବିହିତ ପଦକ୍ଷେପ ଆବଶ୍ଯକ ଥିବା କହିଛନ୍ତି ଆଇନଜୀବୀ ।
ସହରର କାଠଗଡା ସାହି ଅଞ୍ଚଳରେ ଥିବା ଏହି କ୍ଯାଫେକୁ ଆସନ୍ତି ଏକାଧିକ ଝିଅ । ମ୍ଯୁଜିକ ସାଙ୍ଗକୁ ହୁକା ଧୂଆଁ ଓ ଜମେ ମଦରର ଆସର । ଏପରିକି ଭିତରେ ଲୋକ ଥାଇ ବାହାରପଟୁ ଅନେକ ସମୟରେ ବନ୍ଦ ରହୁଥିବା କହନ୍ତି ପଡୋଶୀ । କଟକ ପରି ଭାଇଚାରାର ସହରରେ ଏପରି ଜଘନ୍ଯ ଘଟଣାକୁ ନିନ୍ଦା କରିବା ସହ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାବ୍ଯକ୍ତ କରିଛନ୍ତି ବିଧାୟକ ଓ କଟକ ବାସୀ ।
ମାମଲାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । କଟକରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଯେଉଁ ଘଟଣା ଘଟିଛି ସେହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । କୌଣସି ଟାଳଟୁଳ ନୀତି ଗ୍ରହଣୀୟ ନୁହେଁ । ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୀଡିତାଙ୍କ ବୟାନ ରେକର୍ଡ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ ଧାରା ଏବଂ ଏସସି ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି ।