କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି

କଟକ ; ଆଦ୍ୟପୂଜ୍ୟଙ୍କ ଆବାହନ ପରେ ଉତ୍ସବମୁଖର ହେବ ସହର । କଟକ ସହରରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ବିଭିନ୍ନ ମଣ୍ଡପରେ ମୂର୍ତ୍ତି ସହ ମେଢ ନିର୍ମାଣ ଜୋରସୋର ଆଗେଇ ଚାଲିଛି । ସେପଟେ ପୂଜା ପୂର୍ବରୁ ପ୍ରଶାସନିକ ସ୍ତରରେ ମଧ୍ଯ କରାଯାଇଛି ପ୍ରସ୍ତୁତି । ପୂଜା ପରେ ମୂର୍ତ୍ତି ସବୁ କାଠଯୋଡ଼ିରେ ବିସର୍ଜନ କରାଯିବ । ଏଥିପାଇଁ କଟକ ମେୟର ସୁବାସ ସିଂ, ପୂଜା କମିଟି ସଭାପତି, ସଂପାଦକ ଓ ସଦସ୍ଯମାନେ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଧରି କାଠଯୋଡି ନଦୀର ଦେବୀ ଗଡା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଦେବୀ ଗଡାରେ ଦୁଇଟି ଅସ୍ଥାୟୀ ପୁଷ୍କରିଣୀ ସହ ଦୁଇଟି ସ୍ଥାୟୀ ପୁଷ୍କରଣୀ ନିର୍ମାଣ କରିବାକୁ ମେୟର ପ୍ରସ୍ତାବ ଦେଇଛନ୍ତି । ଏହାସହ ପୁଷ୍କରଣୀକୁ ଅନବରତ ପାଣି ଯୋଗାଇବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ମଧ୍ଯ ଦିଆ ଯାଇଛି ।
ଦେବୀଗଡାର ରାସ୍ତାକୁ ମରାମତି କରିବା ଓ ଅଳିଆ ସଫାର ସବୁ ବ୍ୟବସ୍ଥା କରାଯିବ ବୋଲି ମେୟର କହିଛନ୍ତି । ସେହିପରି ଏଠାରେ ଅଳିଆ ପକାଉଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ଅନ୍ଯ ପକ୍ଷରେ ପିଇବା ପାଣି ଓ ଆଲୋକର ସମସ୍ତ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମେୟର । ଆସନ୍ତା ବୁଧବାର ଗଣେଶ ପୂଜା । ଅଗଷ୍ଟ ୩୦ ସେପ୍ଟେମ୍ବର ୭ ଓ ୧୪ ତାରିଖରେ ହେବ ଭସାଣ । ଅକ୍ଟୋବର ୩ ତାରିଖରେ ଦୁର୍ଗା ପୂଜା ଭସାଣ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କରାଯାଇଛି ।