ବିନା ମାଟିରେ ଫଳୁଛି ପନିପରିବା

1 min read

କଟକ: ବିଭିନ୍ନ ପ୍ରକାର ଫୁଲ, କେଶର ଓ ଷ୍ଟ୍ରବେରୀ ପରେ ଏବେ ପୁଣି ଥରେ ପନିପରିବା ଉତ୍ପାଦନ କରି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ । ଉନ୍ନତ ଜ୍ଞାନକୌଶଳ ହାଇଡ୍ରୋପନିକ ଉପାୟରେ ଗବେଷଣା କରିବା ସହ ଉନ୍ନତ ମାନର ପୋଷକ ତତ୍ତ୍ୱର ପ୍ରଭାବ କିଭଳି ପନିପରିବା ଚାଷ ଉପରେ ପଡୁଛି ତାହା ମଧ୍ୟ ନିରୂପଣ କରାଯାଇ ପାରିଛି । ଆଗକୁ ଏହି ବୈଷୟିକ ଜ୍ଞାନ କୌଶଳ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ସହ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ କିଭଳି ଏଗ୍ରି-ଏଣ୍ଟରପ୍ରିନର ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ଲକ୍ଷ୍ୟ ରଖିଛି ଉଦ୍ଭିଦ ବିଜ୍ଞାନ ବିଭାଗ ।

ବିନା ମାଟିରେ ଫଳୁଛି ପନିପରିବା । ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ବାଇଗଣ, ବିଲାତିରେ ଭର୍ତ୍ତି ସବୁଜ ଘର । ରେଭେନ୍ସା ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜଘରେ ଅଭିନବ ଜ୍ଞାନକୌଶଳ । ହାଇଡ୍ରୋପନିକ ଉପାୟରେ ଅର୍ଥାତ କେବଳ ପାଣିରେ ଏହା ସମ୍ଭବ ହୋଇଛି । ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ରେଭେନ୍ସାରେ ନିର୍ମାଣ ହୋଇଥିବା ଏହି  ପ୍ରକଳ୍ପରେ ପୂର୍ବରୁ ସଫଳତାର ସହ ଷ୍ଟ୍ରବେରୀ ଓ କେଶର ଉତ୍ପାଦନ ହୋଇସାରିଛି । ଏବେ ନିଜସ୍ୱ ଉଦ୍ୟମରେ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ପନିପରିବା ଚାଷ ସମ୍ଭବ ହୋଇଛି । ଆଗାମୀ ଦିନରେ ଏହି ଜ୍ଞାନ କୌଶଳ କିପରି ଚାଷୀମାନଙ୍କ ପାଖରେ ପହଞ୍ଚିବ ଏଥିପାଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ।

ସାଧାରଣ ଚାଷ ଠାରୁ ଏହା ଅନେକାଂଶରେ ବ୍ୟୟ ସାପେକ୍ଷ ହୋଇଥିଲେ ସୁଦ୍ଧା ଏହି ପଦ୍ଧତିରେ ଅଧିକ ଉତ୍ପାଦନ ଓ ଅମଳ ହୋଇପାରୁଛି । ମାଟିରୁ ମିଳୁଥିବା ସମସ୍ତ ପୁଷ୍ଟିସାର କୃତିମ ଉପାୟରେ ଗଛଗୁଡ଼ିକରେ ପହଞ୍ଚାଯାଇ ପାରୁଛି । ଆଉ ବଞ୍ଚିବାପାଇ ଆବଶ୍ୟକ ଥିବା PH, TDS ଓ ECS ସ୍ତରକୁ ବି ନିୟନ୍ତ୍ରଣ କରାଯାଉଛି । ଆଗକୁ ହାଇଡ୍ରୋପନିକ ଉପାୟରେ କିଭଳି ଆହୁରି ଅଧିକ ଉତ୍ପାଦନ କ୍ଷମତା ବୃଦ୍ଧି ହେବ ସେ ନେଇ ଗବେଷଣା କରାଯାଉଛି ।