କର୍କଟ ରୋଗ ପାଇଁ ବରଦାନ ସାଜିଛି କଟକ ଆଚାର୍ଯ୍ଯ ହରିହର କର୍କଟ ପ୍ରତିଷ୍ଠାନ

1 min read

କଟକ: କର୍କଟ ରୋଗ ପାଇଁ ଆଉ ବିକିବାକୁ ପଡ଼ିବନି ଜମି । କଟକ ଆଚାର୍ଯ୍ଯ ହରିହର କ୍ଯାନ୍ସର ପ୍ରତିଷ୍ଠାନରେ ବିନା ମୂଲ୍ଯରେ ମିଳୁଛି ସମସ୍ତ ସେବା । ଅତ୍ଯାଧୁନିକ ଚିକିତ୍ସା ସହ ଔଷଧ ବି ମାଗଣା । ପ୍ରାରମ୍ଭିକ ପର୍ଯ୍ଯାୟରେ ରୋଗ ଚିହ୍ନଟ ହୋଇ ପାରୁଥିବାରୁ ଅନେକ ଆରୋଗ୍ଯ ଲାଭ କଲେଣି । ରାଜ୍ଯ ସରକାରଙ୍କ ଏହି ଅଭିନବ ଉଦ୍ଯମ ପାଇଁ ଖାଲି ରାଜ୍ଯରୁ ନୁହେଁ ବାହାର ରାଜ୍ଯର ରୋଗୀ ମଧ୍ଯ ଏହି ହସପିଟାଲକୁ ଆସୁଛନ୍ତି ।

ବରଦାନ ସାଜିଛି କଟକ ଆଚାର୍ଯ୍ଯ ହରିହର କର୍କଟ ପ୍ରତିଷ୍ଠାନ। ବଦଳିଛି ହସପିଟାଲର ରୂପରେଖ । ସମୟ ସାଥିରେ ବଦଳିଛି ଚିକିତ୍ସା ପଦ୍ଧତି । ରୋଗ ନିରୂପଣ ଓ ଚିକିତ୍ସାରେ ବ୍ଯବହାର ହେଉଛି ଅତ୍ଯାଧୁନିକ କୌଶଳ । ମାଗଣା ଚିକିତ୍ସା ସୁବିଧା ପାଇ ଉପକୃତ ରାଜ୍ଯ ଓ ରାଜ୍ଯ ବାହାର ରୋଗୀ । ପୂର୍ବରୁ କର୍କଟ ରୋଗକୁ ଚିହ୍ନଟ କରିବାକୁ ଅନେକ ସମୟ ଲାଗୁଥିଲା । ପ୍ରଥମେ ଶଲ୍ୟ ଚିକିତ୍ସା ରେଡ଼ିଓ ଥେରାପି ମାଧ୍ୟମରେ ଚିକିତ୍ସା କରାଯାଉଥିଲା । କିନ୍ତୁ ଏବେ ରୋଗ ଚିହ୍ନଟ ସହ ଚିକିତ୍ସା କ୍ଷେତ୍ରରେ କଟକ ଆଚାର୍ଯ୍ଯ କର୍କଟ ପ୍ରତିଷ୍ଠାନକୁ ମିଳିଛି ନୂଆ ଦିଗନ୍ତ । ପେଟ୍ ସ୍କାନ ମାଧ୍ଯମରେ ତୁରନ୍ତ ରୋଗ ଚିହ୍ନଟ ହେଉଛି । ଏହି ପରୀକ୍ଷା ଅଧିକ ବ୍ଯୟ ବହୁଳ ହୋଇଥିବାରୁ ଅନେକ ରୋଗୀ ଅକ୍ଷମତା ପ୍ରକାଶ କରୁଥିଲେ । ତେବେ କଟକ ଆଚାର୍ଯ୍ଯ ହରିହର କର୍କଟ ପ୍ରତିଷ୍ଠାନରେ ଏହା ମାଗଣାରେ ଉପଲବ୍ଧ ହେଉଛି । ପ୍ରାଥମିକ ପର୍ଯ୍ଯାୟରେ ରୋଗ ଚିହ୍ନଟ ହୋଇ ପାରୁଥିବାରୁ ଚିକିତ୍ସାରେ ମିଳୁଛି ଅନେକ ସଫଳତା । ଏହାସହ ରୋଗୀଙ୍କୁ ମିଳୁଛି ମାଗଣା କେମୋ ଥୋରପି ।

କର୍କଟ ରୋଗୀ ଅନେକ ପ୍ରକାର ଅଛି । କିନ୍ତୁ ଏହାର ସଠିକ୍ ନିରୂପଣ ହୋଇ ପାରିଲେ ରୋଗୀ ଆରୋଗ୍ୟ ହୋଇଥାଏ । ଓଡ଼ିଶାରେ ଏପରି ଅତ୍ଯାଧୁନିକ ସୁବିଧା ମିଳୁଥିବାରୁ ଖାଲି ଆମ ଓଡ଼ିଶା ନୁହେଁ କୋଲକାତା, ଝାଡଖଣ୍ଡ, ବିହାରରୁ ମଧ୍ଯ ବହୁ ରୋଗୀ ଏଠାକୁ ଆସୁଛନ୍ତି । ପେଟ ସ୍କାନ, MRI, ସିଟି ସ୍କାନ, କେମୋ ଥେରାପି, ଆଦି ବ୍ୟୟ ବହୁଳ ପରୀକ୍ଷା ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଏହାସହ ଚିକିତ୍ସା ପରେ ମାଗଣାରେ ଔଷଧ ମଧ୍ଯ ଯୋଗାଇ ଦିଆଯାଉଛି ।