ମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ, ତଳେ ଖଣ୍ଡଯୁଦ୍ଧ

1 min read

କଟକ: ମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ ତଳେ ଖଣ୍ଡଯୁଦ୍ଧ । ମଙ୍ଗୁଆଳଙ୍କ ଆଗରେ ବିଜେପିର ରକ୍ତାକ୍ତ ସଂଘର୍ଷ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲିରେ ହାତାହାତି କର୍ମୀ । କଟକ-ଚୌଦ୍ବାରରେ ପ୍ରଚାର ବେଳେ ପଦାରେ ପଡ଼ିଲା ବିଜେପିର ତୀବ୍ର ଗୋଷ୍ଠୀକନ୍ଦଳ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନୟନ କିଶୋର ମହାନ୍ତିଙ୍କ ସମର୍ଥକ ଓ ବିପକ୍ଷବାଦୀ ମୁହାମୁହିଁ । ନୟନ କିଶୋରଙ୍କୁ ଦଳ ଟିକେଟ ଦେବା ପରଠୁ କୁହୁଳୁଥିବା ଅସନ୍ତୋଷ ଆଜି ବିସ୍ଫୋରଣ ହୋଇଛି । ପ୍ରଚାର କରିବାକୁ ଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ହାତାହାତି ସ୍ଥିତି ଉପୁଜିଛି । ଶହ ଶହ ନେତା ଓ କର୍ମୀ ଏକାଠି ହୋଇ ନୟନ ମହାନ୍ତିଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଥିବାବେଳେ ନୟନଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ଯରେ ହାତାହାତି ପରିସ୍ଥିତି ସହ ବିବାଦ ଉଗ୍ର ହୋଇଥିଲା । ଏପରିକି ସଭା ମଞ୍ଚରେ ବି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ହଟ୍ଟଗୋଳ କରିଥିଲେ ଅସନ୍ତୁଷ୍ଟ ଗୋଷ୍ଠୀ । ୫ ଥର ନିର୍ବାଚନ ହାରିଥିବା ନେତାଙ୍କୁ କିଭଳି ଓ କାହିଁକି ପ୍ରାର୍ଥୀ କରାଗଲା ବୋଲି ବିଜେପି କର୍ମୀମାନେ ଦଳର ଶୀର୍ଷ ନେତୃତ୍ବଙ୍କୁ ପ୍ରଶ୍ନ କରିଛନ୍ତି । ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ଦାବି କରିଛନ୍ତି କର୍ମୀ । ଟିକେଟ ନିଷ୍ପତ୍ତି ନବଦଳିଲେ କୌଣସି ଜାଗାରେ ବିଜେପିର ପୋଷ୍ଟର ମାରିବାକୁ ଦିଆଯିବନି । ଏପରିକି ସମୂହ ଭାବେ ଦଳ ଛାଡ଼ିବାକୁ କର୍ମୀମାନେ ନେତୃତ୍ବଙ୍କୁ ଶୁଣାଇଦେଇଛନ୍ତି । ଦଳର ଶୀର୍ଷ ନେତୃତ୍ବଙ୍କ ପ୍ରଚାର  ବେଳେ ଦଳୀୟ କର୍ମୀଙ୍କ ଫେରାଦ ହେବା ଓ ପ୍ରାର୍ଥିତ୍ବ ପରିବର୍ତ୍ତନ ପାଇଁ ଦାବି କରିବା ଏବଂ ପରିଶେଷରେ ହାତାହାତି ହେବା ସୂଚାଇ ଦେଉଛନ୍ତି ବିଜେପିରେ ଟିକେଟ ବିଦ୍ରୋହ ନିଆଁ ଶୀର୍ଷ ସ୍ତରରେ ପହଞ୍ଚିସାରିଲାଣି ।