କଟକ ବାଲିଯାତ୍ରା: ପ୍ରଚାର ପ୍ରସାର ପାଇଁ ବାହାରିଲା ପ୍ରଜ୍ଞାପନ ମେଢ଼, ଉପର ପଡ଼ିଆରେ ଷ୍ଟଲ ପାଇଁ ବ୍ଯବସ୍ଥା ନଥିବା ପଛରେ ଅଛି କି ଷଡ଼ଯନ୍ତ୍ର ?
ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସିଲାଣି କଟକ ଐତିହାସିକ କଟକ ବାଲିଯାତ୍ରା । ୫ ତାରିଖରୁ ଦୁଲୁକିବ ମହାନଦୀ ପଠା । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରାର ପ୍ରଚାର ପ୍ରସାର ପାଇଁ ପ୍ରଜ୍ଞାପନ ମେଢ଼ ବାହାରିଛି । ବୋଇତ ସଦୃଶ ଏହି ପ୍ରଜ୍ଞାପନ ମେଢ଼ ୧୦ ଜିଲ୍ଲା ବୁଲି ଯାତ୍ରା ପାଇଁ ଲୋକଙ୍କୁ ନିମନ୍ତ୍ରଣ ଜଣାଇବ । ଏଥିରେ ସାଧବ ବୋହୂ ଓ ସାଧବ ପୁଅମାନେ ସାମିଲ ହୋଇ ବୋଇତ ବନ୍ଦାଣ କରିଥିଲେ । ସେପଟେ ତଳ ପଡିଆର ପ୍ରସ୍ତୁତି ଜୋରସୋର ଚାଲିଥିବାବେଳେ ଉପର ପଡିଆ ପାଇଁ ବ୍ଯବସାୟୀ ସେତେଟା ଆଗ୍ରହ ପ୍ରକାଶ କରୁ ନଥିବା ଦେଖିବାକୁ ମିଳିଛି । ତେବେ ଉପର ପଡ଼ିଆକୁ ଖାଲି ରଖିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ମେୟର ।
କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ୫ ତାରିଖରୁ କମ୍ପିବ ମହାନଦୀ ପଠା । ରାଜ୍ଯ ଓ ରାଜ୍ଯ ବାହାର ବ୍ଯବସାୟୀଙ୍କ ଖୋଲିବ ବିପଣୀ । ଯାତ୍ରାର ପ୍ରଚାର ପ୍ରସାର ପାଇଁ ବାହାରିଲା ପ୍ରଜ୍ଞାପନ ମେଢ଼ । ୧୦ ଉପକୂଳବର୍ତ୍ତି ଜିଲ୍ଲା ବୁଲି ଲୋକଙ୍କୁ ଯାତ୍ରା ପାଇଁ କରାଯିବ ନିମନ୍ତ୍ରଣ । ଜିଲ୍ଲାପାଳ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବାଲିଯାତ୍ରାର ଏକ ଟାଇଟଲ ଗୀତକୁ ମଧ୍ଯ ଉନ୍ମୋଚନ କରାଯାଇଛି ।
ସେପଟେ ତଳ ପଡ଼ିଆରେ ଷ୍ଟଲ ନିର୍ମାଣ କାମ ଜୋରସୋର ଚାଲିଥିବାବେଳେ ଉପର ପଡ଼ିଆରେ ସେତେଟା ଉତ୍ସାହ ଦେଖିବାକୁ ମିଳିନାହିଁ । ହାଇକୋର୍ଟଙ୍କ ଗ୍ରୀନ ସିଗନାଲ ଓ ବିଭିନ୍ନ ଦଳର ଦାବି ସତ୍ତ୍ବେ ଉପର ପଡିଆରେ ଯାତ୍ରା ଆୟୋଜନ ନେଇ ସେତେଟା ଆଗ୍ରହ ଦେଖାଯାଉନାହିଁ । ଉପର ପଡିଆରେ ବାଲିଯାତ୍ରା ନକରିବାକୁ ଏହା ପ୍ରଶାସନର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ସେପଟେ ଉପର ପଡ଼ିଆ ପାଇଁ ବ୍ଯବସାୟୀ ସେତେଟା ଆଗ୍ରହ ଦେଖାଉ ନଥିବା ସଫେଇ ଦେଇଛନ୍ତି ଜିଲ୍ଲାପାଳ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମେୟର ସୁବାସ ସିଂ ।
ସଜେଇ ହେଲାଣି ଦୋଳି, ଷ୍ଟଲ ବାନ୍ଧିଲେଣି ବ୍ଯବସାୟୀ । ଆଉ ୩ ଦିନ ପରେ ଐତିହାସିକ ବାଲିଯାତ୍ରା ପାଇଁ ଲୋକାରଣ୍ଯ ହେବେ ମହାନଦୀ ପଠା । ୮ ଦିନ ଧରି ଯାତ୍ରାର ମଜା ଉଠାଇବେ ରାଜ୍ଯବାସୀ ।

