ଓଡ଼ିଶାରେ ହେବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ
1 min readଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ। ଆସନ୍ତା 23 ରୁ 26 ଜୁନ୍ ପର୍ଯ୍ୟନ୍ତ ଓଡିଶା ଟେନିସ୍ ଆସୋସିଏସନ୍ ବ୍ୟାନରରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ KT ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବାକୁ ଯାଉଛି କଷ୍ଟୋମାଇଜ୍ ଅଲ ଓଡିଶା ଜୁନିୟର ଚାମ୍ପିଅନସିପ୍ । ଯେଉଁଥିରେ ପିଲାମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ଖେଳିବାକୁ ସୁଯୋଗ ପ୍ରଦାନ କରାଯିବ। ପ୍ରଥମ ଥର ପାଇଁ ଟେନିସ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ପିଲାଙ୍କ ପାଇଁ କଷ୍ଟୋମାଇଜ୍ କରାଯାଇ ସେମାନଙ୍କ ଦକ୍ଷତା ଅନୁସାରେ ଲାଲ୍, କମଳା ଏବଂ ଗ୍ରୀନ୍ ଡଟ୍ ବଲରେ ପ୍ରତିଯୋଗିତା କରାଯାଉଛି।
ନିୟମିତ ଟେନିସ୍ ବଲ୍ ତୁଳନାରେ ଲାଲ୍ ବଲ୍, କମଳା ବଲ୍ ଏବଂ ଗ୍ରୀନ୍ ଡଟ୍ ବଲ୍ ରେ ଯଥାକ୍ରମେ 25%, 50% ଏବଂ 75% ବାଉନ୍ସ ରହିଛି | ଏପରିକି ଟେନିସ କୋର୍ଟର ଆକାର ବଲ ସ୍ତର ଉପରେ ଆଧାର କରି କଷ୍ଟମାଇଜ୍ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରରୁ ଶତାଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଶଂଗ୍ରାହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ପୁଅ ଓ ଝିଅ ମିଶିକି ଖେଳି ପାରିବେ ବା ପୁଅ ଓ ଝିଅ ମଧ୍ୟରେ ମ୍ୟାଚ ଖେଳାଯିବ। ଯେଉଁଥିରେ ଅଣ୍ଡର-10, ଅଣ୍ଡର-12, ଅଣ୍ଡର-14 କ୍ୟାଟେଗୋରୀରେ ଖେଳାଯିବ।ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ପ୍ରାରମ୍ଭିକ ସ୍ତରର ପ୍ରତିଭାମାନଙ୍କୁ ସମାନ ସ୍ତରର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏବଂ ସମାନ ସୁଯୋଗ ପାଇବାକୁ ଉତ୍ସାହିତ କରିବା।
ଏହାସହ ଟେନିସ୍ ଖେଳାଳୀଙ୍କୁ ତୃଣମୂଳ ସ୍ତରରୁ କିପରି ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ସହ ଓଡ଼ିଶାରେ ଟେନିସକୁ ଅଧିକରୁ ଅଧିକ ପ୍ରଚାର ପ୍ରାସର କରିବା, ଟେନିସକୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା। ଟେନିସ ସହ ଯୋଡ଼ିବା ପାଇଁ ଏବେ ଟେନିସ ଖେଳାଳି ବା ପ୍ରତିଯୋଗୀମାନଙ୍କୁ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ଏକ ନୂଆ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି। ଆଜିର ଏହି ପ୍ରେସମିଟରେ KT ଗ୍ଲୋବାଲ ସ୍କୁଲର ନିର୍ଦ୍ଦେଶକ ପୂର୍ଣ୍ଣଶିଷ ରଥ, KT ଗ୍ଲୋବାଲ ସ୍କୁଲର ପ୍ରିନ୍ସିପାଲ୍ ସବିତା ପଣ୍ଡା, ଭାଇସ୍-ପ୍ରିନ୍ସିପାଲ୍ ଅନୁରାଧା ଘୋଷ, IIG ସ୍ପୋର୍ଟସ୍ ଏକାଡେମୀର ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ, OTA କାର୍ଯ୍ୟନିର୍ବାହୀ ସଦସ୍ୟ ଅସିତ ପ୍ରଧାନ, OTAର ପ୍ରଶାସନିକ ଅଧିକାରୀ ସମ୍ବିତ ପଟ୍ଟନାୟକ୍ ପ୍ରମୁଖ ଉପସ୍ଥିତ ଥିଲେ ।