ଆଉ ନେଇ ପାରିବେନି ଏକରୁ ଅଧିକ ପର୍ସନାଲ ଲୋନ!

1 min read

ନୂଆଦିଲ୍ଲୀ: ପର୍ସନାଲ ଲୋନକୁ ନେଇ ଆସିଛି ଏକ ବଡ଼ ଖବର । ନୂଆବର୍ଷ ଠାରୁ ଲାଗୁ ହେଲା ନୂଆ ନିୟମ । ଏକାଧିକ ପର୍ସନାଲ ଲୋନ ଉପରେ ଲାଗିଲା ରୋକ । ଲୋନଧାରୀଙ୍କ ବଢ଼ିଲା ମୁସ୍କିଲ । ଏକାଧିକ ପର୍ସନାଲ ଲୋନ ନେଉଥିବା ଗ୍ରାହକମାନେ ହେବେ ପ୍ରଭାବିତ । ଆରବିଆଇର ଏହି ନିୟମ ଏବେ ଲୋନ ନେଣଦେଣରେ ଆଣିବ ବଡ଼ ପରିବର୍ତ୍ତନ । ନୂଆ ରୁଲ ମୁତାବକ, ଏଣିକି ୩୦ ଦିନ ବଦଳରେ ୧୫ ଦିନ ମଧ୍ୟରେ ଲୋନର ସୂଚନା ଅପଡେଟ କରିବେ ଋଣଦାତା । ସାଧାରଣ ଭାବେ ଅନେକ ଲୋକ ଲୋନ ଉପରେ ବହୁ ମାତ୍ରାରେ ନିର୍ଭର କରିଥାନ୍ତି । ଚିକିତ୍ସା ଖର୍ଚ୍ଚ, ଶିକ୍ଷା, ବିବାହ, ଘର ନିର୍ମାଣ ଆଦି ଜରୁରୀ କାର୍ଯ୍ୟ ପାଇଁ ଲୋକମାନେ ପର୍ସନାଲ ଲୋନ ନେଇଥାନ୍ତି । ତେଣୁ କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ଏବେ ଅନେକ ଲୋକଙ୍କ ଚିନ୍ତା ବଢ଼ାଇ ଦୋଇଛି ।

ନୂଆା ନିୟମ ମୁତାବକ, ଲେଣ୍ଡର୍ସଙ୍କୁ କ୍ରେଡିଟ ବ୍ୟୁରୋରେ ଲୋନର ତଥ୍ୟ ୧୫ ଦିନ ଭିତରେ ଅପଡେଟ କରିବାକୁ ପଡ଼ିବ । ପୂର୍ବରୁ ଏହି ଟାଇମ୍ ପିରିୟଡ୍ ୩୦ ଦିନ ରହିଥିଲା । ଏଣିକି ଋଣ ପ୍ରଦାତାଙ୍କୁ ଡିଫଲ୍ଟ ଓ ପେମେଣ୍ଟର ସଠିକ୍ ତଥ୍ୟ ଶୀଘ୍ର ମିଳିପାରିବ ।  ଯାହାଦ୍ବାରା ଏକାଧିକ ଲୋନ ନେଉଥିବା ଲୋକଙ୍କ ଉପରେ ଲଗାମ୍ ଲାଗିପାରିବ । ଗତବର୍ଷ ଅଗଷ୍ଟରେ ଏ ବାବଦରେ ନିୟମ ଜାରି କରାଯାଇଥିଲା । ଏବେ ଚଳିତ ବର୍ଷ ପ୍ରାରମ୍ଭରୁ ତାହା ଲାଗୁ କରାଯାଇଛି । ଏହା ଋଣ ପ୍ରଦାତାଙ୍କୁ ରିସ୍କ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସହାୟତା ପ୍ରଦାନ କରିବ ବୋଲି ଆରବିଆଇ କହିଛି । ଏହା ପୂର୍ବରୁ ଇଏମଆଇ ପେମେଣ୍ଟ ତାରିଖ ଅଲଗା ଅଲଗା ରହିଥିଲା । ଫଳରେ ମାସରେ ଥରେ ରିପୋର୍ଟିଂ କରାଯାଉଥିଲା । ତେଣୁ ପେମେଣ୍ଟ ରେକର୍ଡରେ ୪୦ ଦିନ ବିଳମ୍ବ ଘଟୁଥିଲା । ମାତ୍ର ଏବେ ପ୍ରତି ୧୫ ଦିନରେ ଲୋନ ସୂଚନା ଅପଡେଟ କରାଯିବ । ଏବେ ଋଣ ପ୍ରଦାତ୍ତାଙ୍କୁ ପ୍ରକୃତ ସମୟର ତଥ୍ୟ ମିଳିପାରିବ । ମୋଟାମୋଟି ଭାବେ କହିବାକୁ  ଗଲେ, ଏହାଦ୍ବାରା ଇଏମଆଇ ରିପୋର୍ଟିଂ ସମୟ କମିବ ଓ ପେମେଣ୍ଟ-ଡିଫଲ୍ଟର ସଠିକ୍ ତଥ୍ୟ ମିଳିପାରିବ ।

ଆାରବିଆଇର ଏହି ପଦକ୍ଷେପ ଫଳରେ ଏବେ ମଲ୍ଟିପଲ ଲୋନ ଉପରେ ଲଗାମ ଲାଗିବ । ସାଧାରଣ ଭାବେ ନୂଆ କରି ଲୋନ ନେଉଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରୁ ସହଜରେ ଲୋନ ମିଳିଯାଇଥାଏ । ଅନେକ ଲୋକଙ୍କୁ କ୍ଷମତା ଠାରୁ ମଧ୍ୟ ଅଧିକ ଋଣ ମିଳିଯାଇଥାଏ । ତେଣୁ ରେକର୍ଡକୁ ଅଧିକ ଥର ଅପଡେଟ କରିବା ପାଇଁ ବ୍ୟାଙ୍କମାନଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା । ଏହାଦ୍ବାରା ଲୋନଧାରୀଙ୍କ ବାବଦରେ ସଠିକ୍ ତଥ୍ୟ ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଥିଲା । ଏବେ ଯଦି କୌଣସି ବ୍ୟକ୍ତି ଅଲଗା ଅଲଗା ତାରିଖରେ ଇଏମଆଇ ଥାଇ ଲୋନ ନିଅନ୍ତି, ତେବେ ତାଙ୍କର ଆର୍ଥିକ ଗତିବିଧି ୧୫ ଦିନ ଭିତରେ କ୍ରେଡିଟ ବ୍ୟୁରୋ ସିଷ୍ଟମରେ ଦେଖିବାକୁ ମିଳିବ । ଫଳରେ ଲୋନଧାରୀଙ୍କ ଆର୍ଥିକ ସ୍ଥିତିର ସଠିକ୍ ଓ ତାଜା ତଥ୍ୟ ପାଇପାରିବେ ଋଣଦାତା । ଏହି ପରିବର୍ତ୍ତନ ଫଳରେ ’ଏଭରଗ୍ରୀନିଂ’ ପରି ହରକତ ଉପରେ ମଧ୍ୟ ରୋକ ଲାଗିବ ବୋଲି ଲେଣ୍ଡର୍ସଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ପୂର୍ବରୁ ଲୋନ ନେଇ ପରିଶୋଧ କରିନଥିଲେ ସେହି ଗୁମର ଖୋଲିଯିବ ବୋଲି ମଧ୍ୟ କୁହାଯାଇଛି । ଆରବିଆଇର ଏହି ନୂଆ ନିୟମ ଲୋନଧାରୀଙ୍କ ଉପରେ କିପରି ପ୍ରଭାବ ପକାଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।