ଘନ ଘନ ବିଜୁଳି କାଟ ସହ ସ୍ମାର୍ଟ ମିଟର ତଥା ଅନ୍ୟାନ୍ୟ ସମସ୍ୟା। ସନ୍ତୁଳି ହେଉଛନ୍ତି ଉପଭୋକ୍ତା। ଏବେ ଶକ୍ତି ବିଭାଗର ବଜେଟ ଖର୍ଚ୍ଚ ହୋଇ ନ ପାରିବାକୁ ନେଇ ଜୋର ଧରିଛି ରାଜନୀତି। ବଜେଟର ମୋଟ ୨୬.୩୮ ପ୍ରତିଶତ ଖର୍ଚ୍ଚ ହୋଇଥିବାରୁ ଏହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ। ଖୋଦ ବିଭାଗ ପକ୍ଷରୁ ମଧ୍ୟ ଅର୍ଥ ଖର୍ଚ୍ଚ ପାଇଁ ତାଗିଦ କରାଯାଇଛି। ଏହାକୁ ନେଇ ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ହସ୍ତକ୍ଷେପ କରିବାକୁ ଦାବି କରିଛି। ଓଡିଶାରେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ହେବା ଜରୁରୀ। କିନ୍ତୁ ଏ ଦିଗରେ ସରକାରଙ୍କ ଗୁରୁତ୍ୱ ନାହିଁ ବୋଲି କହିଛି ମହାସଂଘ। ତେଣୁ ତୁରନ୍ତ ହସ୍ତକ୍ଷେପ କରିବା ସହ ବିଜୁଳି ବିଲରେ ଅଧିକ ଆଦାୟ ହେଉଥିବା ଅର୍ଥ ଉପଭୋକ୍ତାଙ୍କୁ ଫେରାଇବାକୁ ଦାବି କରାଯାଇଛି। ସେପଟେ ବିଜେଡି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି।
ସେପଟେ ଆସନ୍ତା ୧୦ରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଜୁଳି ସମସ୍ୟା ସମ୍ପର୍କିତ ଶୁଣାଣି କରିବେ। ଆୟୋଗଙ୍କ ନିକଟରେ ଲକ୍ଷ ଲକ୍ଷ ଅଭିଯୋଗ ପଡିରହିଛି। ଏଭଳି ସ୍ଥିତିରେ ଶକ୍ତି ବିଭାଗର ବଜେଟ ଅର୍ଥ ଖର୍ଚ୍ଚ ହୋଇ ନ ପାରିବା ଶାସନ ଵ୍ୟଵସ୍ଥାରେ ଅଚଳାବସ୍ଥାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଶକ୍ତି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ସମାନ ଅବସ୍ଥା। ଏହି ଧରଣର ଜନ ଅସନ୍ତୋଷ ତୀଵ୍ର ହେଉଥିବାବେଳେ ଆଗାମୀ ନୂଆପଡା ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି କହିଛି କଂଗ୍ରେସ। ସେପଟେ ବିଜେପିର ଚିରାଚରିତ ଉତ୍ତର- ସବୁ ଠିକ ଚାଲିଛି। ରାଜ୍ୟରେ ଦେଖା ଦେଇଥିବା ବହୁବିଧ ବିଜୁଳି ବିଭ୍ରାଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସମୀକ୍ଷା କରି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଓଇଆରସିଙ୍କ ଜନଶୁଣାଣି ବେଳେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପାଇଁ କଣ ପଦକ୍ଷେପ ନିଆଯାଉଛି ତା ଉପରେ ନଜର ରହିଛି।

