ହ୍ୱାଟସ୍ଆପ୍ ଚାଟ୍‌ରେ ରହି ଜିଓମାର୍ଟରୁ କରି ହେବ ସପିଂ, ଜାଣନ୍ତୁ ପ୍ରକ୍ରିୟା

1 min read

ମୁମ୍ବାଇ: ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରୁ ସପିଙ୍ଗ କରିପାରିବେ ଗ୍ରାହକ । ସାରା ବିଶ୍ୱରେ ପ୍ରଥମ ଭାବେ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ  । କାର୍ଟରେ ସାମଗ୍ରୀ ଯୋଡ଼ିବା ପରେ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ  । ଏସବୁ ପ୍ରକ୍ରିୟା ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ “ଭାରତରେ ଜିଓମାର୍ଟ ସହିତ ସହଯୋଗିତାର ଶୁଭାରମ୍ଭକୁ ଉତ୍ସାହ ପ୍ରକାଶ କରିଛନ୍ତି  ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜୀରେ ୟେସ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।