ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ, ପତ୍ନୀ ଆଣିଲେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ବଡଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ହେଲେ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଗତକାଲି ରାତିରେ ସେ ରସୁଲଗଡରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଦେବେନ୍ଦ୍ରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଥାନା ହାଜତରେ ସେ ତଳେ ପଡି ଗୁରୁତର ହେବା ପରେ ଦେବେନ୍ଦ୍ରଙ୍କୁ କ୍ଯାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ମୁତାବକ ଦେବେନ୍ଦ୍ରଙ୍କ ନାଁରେ ପୂର୍ବରୁ ଏକାଧିକ ଚୋରି ମାମଲା ରହିଛି । ଗତକାଲି ଚୋରି କରୁଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପଡି ଯାଇଥିଲେ । ଥାନାକୁ ଆଣି ଜେରା ବେଳେ ତାଙ୍କ ସ୍ବାସ୍ଥ୍ୟ ଭଲ ନ ଥିବା ସେ କହିଥିଲେ । ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ । ଥାନା ସିସିଟିଭିରେ ସବୁ ପ୍ରମାଣ ରହିଛି ବୋଲି କହିଛି ପୋଲିସ ।