ସ୍ବାଭାବିକ ହେଉଛି ବାଲେଶ୍ବର, ଆଜି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ କୋହଳ

ବାଲେଶ୍ବର: ସ୍ବାଭାବିକ ହେଉଛି ବାଲେଶ୍ବର। ଗୋଷ୍ଠୀ ସଂଘର୍ଷ ଯୋଗୁଁ ବାଲେଶ୍ବର ସହରରେ ଜାରି ହୋଇଥିବା କର୍ଫ୍ଯୁ ବଳବତ୍ତର ରହିଛି । ତେବେ ଆଜି କର୍ଫ୍ଯୁକୁ ୪ ଘଣ୍ଟା କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ କୋହଳ ହୋଇଛି । ଏହି ସମୟରେ ଲୋକମାନେ ସେମାନଙ୍କର ଅତ୍ଯାବଶ୍ଯକ ସମାଗ୍ରୀ କିଣାକିଣି କରୁଛନ୍ତି । ଆସନ୍ତା ୨୨ ତାରିଖ ଯାଏଁ ସହରରେ ଇଣ୍ଟରନେଟ ସେବା ବନ୍ଦ ରହିବ । କେବଳ ଲିଜ୍ ଲାଇନ ଥିବା ଲୋକଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଛି । ବ୍ୟାଙ୍କ ସମେତ ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଇଛି । ଆସନ୍ତା କାଲି ଯାଏଁ ସହରର ସମସ୍ତ ସ୍କୁଲ୍, କଲେଜ, ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ଗୋଟିଏ କମ୍ପାନୀ ବିଏସଏଫ୍ ବାଲେଶ୍ବରରେ ମୁତୟନ ହୋଇଥିବାବେଳେ ଖୁବଶୀଘ୍ର ଆଉ ୫କମ୍ପାନୀ ବିଏସଏଫ ଆସିବା ନେଇ ସୂଚନା ମିଳିଛି। କର୍ଫ୍ଯୁ ଉଲ୍ଲଂଘନ କରିଥିବା ୩୦ ଜଣଙ୍କୁ ଅଟକ ରଖାଯାଇଛି । ଗଣ୍ଡଗୋଳ ଘଟଣାରେ ଏଯାଏଁ ୪୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସହରକୁ କିପରି ଶାନ୍ତି ଫେରିବ ସେନେଇ ଅନୁଧ୍ଯାନ କରାଯାଉଛି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ପୋଲିସ ଘନଘନ ପଇଁତରା ମାରିବା ସହ କଡ଼ା ନଜର ରଖିଛି । ଗତ ସୋମବାର ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷରୁ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା ।