ଜଗିଛି ପୋଲିସ, ଥାନାରୁ ଖସିଗଲା ବାବୁନା

ପୁରୀ: ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ । ପୁରୀ ବାସେଳୀ ସାହି ଥାନାରେ ଘଟିଛି ଏଭଳି ଘଟଣା । ଗତ ୧୩ ତାରିଖ ରବିବାର ଦିନ ଏକ ପୁରୁଣା ମାମଲାରେ ଅଭିଯୁକ୍ତ ବାବୁନା ଭୋଇକୁ ବାସେଳୀ ସାହି ଥାନା ପୋଲିସ ଗିରଫ କରି ଥାନାରେ ରଖିଥିଲା । ସମ୍ପୃକ୍ତ ଅଭିଯୁକ୍ତକୁ କୋର୍ଟ ଫରଓ୍ବାଡ କରାଯାଇଥାନ୍ତା । ସୁଯୋଗ ଦେଖି ଅଭିଯୁକ୍ତ ବାବୁନା ଥାନା ପରିସରରୁ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ସେହିଦିନ ରାତିରେ ଖସି ପଳାଇଥିବା ସୂଚନା ମିଳିଛି ।

ଥାନା ପରିସରରୁ ବାବୁନା ଖସି ପଳାଇଥିବା ନେଇ ଥାନାରେ ଅନ୍ୟ ଏକ ମାମଲା ରୁଜୁ କରିଛନ୍ତି ଡ୍ୟୁଟି ଅଧିକାରୀ । ବାସେଳୀ ସାହି ଥାନା ଭଳି ଚର୍ଚ୍ଚିତ ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ଭଳି ସମ୍ବେଦନଶୀଳ ଘଟଣା ଏବେ ସହରର ଗଳିକନ୍ଦିରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ଅବହେଳା ନା ଦାୟିତ୍ୱ ହିନତା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ  ।

କାରଣ ଯେତେବେଳେ ପୁରୀ ଭଳି ଏକ ଐତିହ୍ୟ ନଗରୀରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଥିବାବେଳେ ଅପରାଧ ଦୈନିକ ବଢିବାରେ ଲାଗିଛି  । ଅନେକ ଘଟଣା ଭିଆଇ ଅପରାଧି ଚମ୍ପଟ ମାରୁଥିବାବେଳେ ପୋଲିସ ହାତ ଖାଲି ରହୁଛି  । ଖୋଜି ଖୋଜି ନୟାନ୍ତ ହେଉଛି ପୋଲିସ  । କିନ୍ତୁ ଅନ୍ୟପଟେ ଖୋଦ ଅପରାଧି ବା ଅଭିଯୁକ୍ତ ଥାନା ପରିସରରୁ, ପୋଲିସ ବଳୟ ଭିତରୁ ଖସିଯିବା ଏହା ପୁରୀ ଅଞ୍ଚଳରେ ଅସହଜ ସାଜିଛି  ।