ଭାରତର ମିଶନ ମୁନ୍, ଚନ୍ଦ୍ରାୟନ-୩ ପାଇଁ ଭୁବନେଶ୍ବରସ୍ଥିତ ସିଟିଟିସି ଯୋଗାଇଛି ୭୫ ହଜାର ଯନ୍ତ୍ରାଂଶ

1 min read

ଭୁବନେଶ୍ୱର: ଆସନ୍ତାକାଲି ଭାରତର ମିଶନ ମୁନ୍  । ଲଞ୍ଚ ହେବ ଚନ୍ଦ୍ରୟାନ-୩ । ତେବେ ଏହି ଚନ୍ଦ୍ରୟାନ-୩ ପାଇଁ ଓଡ଼ିଶାରୁ ଯାଇଛି ୭୫ ହଜାର ଯନ୍ତ୍ରାଂଶ । ଏଥିରେ ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର-ସିଟିଟିସିର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଇସ୍ରୋକୁ ଯୋଗାଇଛି । ଲ୍ୟାଣ୍ଡର ଓ ରୋଭର ପାଇଁ ଯନ୍ତ୍ରପାତି ତିଆରି କରିଛି ସିଟିଟିସି । ମହାକାଶ ଯାନକୁ ହାଲୁକା କରିବାକୁ ସ୍ବତନ୍ତ୍ର ଟେକ୍ନୋଲୋଜି କରିଛି । ଏନେଇ ଦୁଇ ବର୍ଷ ପୂର୍ବେ ସିଟିଟିସିକୁ ମିଳିଥିଲା ଉପକରଣର ଡ୍ରଇଂସ । ଯାହା ଆଧାରରେ କମ୍ପାନୀ ନିର୍ମାଣ କରିଥିଲା ୭୫ ହଜାର ଯନ୍ତ୍ରାଂଶ । ସିଟିଟିସି ସେଣ୍ଟରରେ ଏହି ଯନ୍ତ୍ରାଂଶ ନିର୍ମାଣ କାମରେ ସାମିଲ ଥିଲେ ୧୫୦ କର୍ମଚାରୀ ଓ ଟ୍ରେନି । ଏନେଇ ଇସ୍ରୋ ମଧ୍ୟ ସିଟିଟିସିକୁ ଅନେକ ହ୍ୟାଣ୍ଡ ହୋଲଡିଂ ଯୋଗାଇ ଦେଇଥିଲା ।

ଚନ୍ଦ୍ରୟାନ-୩ର ପାଖାପାଖି ସବୁଠାରୁ କ୍ରିଟିକାଲ କମ୍ପୋନେଣ୍ଟ ପ୍ରପଲସନ ସିଷ୍ଟମ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ କ୍ରିଟିକାଲ କମ୍ପୋନେଣ୍ଟ ସିଟିଟିସି ନିର୍ମାଣ କରିଛି । ଲ୍ୟାଣ୍ଡରର ପାଖାପାଖି ସବୁ କ୍ରିଟିକାଲ କମ୍ପୋନେଣ୍ଟ ମଧ୍ୟ ନିର୍ମାଣ କରିଛି ସିଟିଟିସି । ଚନ୍ଦ୍ରୟାନ-୩ରେ ୩ଟି ଆଣ୍ଟିନା ଓ ହାଇ ବର୍ଡର ସେନସର ଲାଗିଛି । ଯନ୍ତ୍ରାଂଶଗୁଡିକ ଲଞ୍ଚ ଭେହିକିଲରେ ଫିଟିଂ କରିବା ଯାଏଁ ଭୂମିକା ନିଭାଇଛି ସିଟିଟିସି । ଏହି କେନ୍ଦ୍ରର କାର୍ଯ୍ୟରତ ଶହେରୁ ଅଧିକ ଟେକ୍ନିସିଆନ ଗତ ଦୁଇ ବର୍ଷ ହେଲା କଠିନ ପରିଶ୍ରମ କରିଛନ୍ତି । ସିଟିଟିସି ଗତ ୨୫ ବର୍ଷ ହେଲା ଇସ୍ରୋ ସହ ସମନ୍ବୟ ରଖି କାମ କରିଆସୁଛି । ପୂର୍ବରୁ ଅନ୍ୟ ମହାକାଶ ଅଭିଯାନ ପାଇଁ ମଧ୍ୟ ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଛି । ଏପରିକି ଚନ୍ଦ୍ରଯାନ-୨ର ମଧ୍ୟ ଯନ୍ତ୍ରାଂଶ ଏଠାରେ ତିଆରି ଓ ଯୋଡା ଯାଇଥିଲା ।