ହକି ବିଶ୍ୱକପ ଆୟୋଜନ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

1 min read

ଭୁବନେଶ୍ୱର: ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କାମ ଶେଷ ହୋଇଛି । ଫିଲ୍ଡ ଟେଷ୍ଟ ପାଇଁ ୨୪ ତାରିଖରୁ ୩ଟି ପ୍ରାକ୍ଟିସ ମ୍ୟାଚ ହେବ । ମ୍ୟାଚ ପରେ ତ୍ରୁଟି ଦେଖାଦେଲେ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ବିଶ୍ୱକପ୍ ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ।

ମ୍ୟାଚ୍ ପାଇଁ ୨୦ ହଜାରରୁ ୧୧ ହଜାର ଟିକେଟ ଅନଲାଇନରେ ବିକ୍ରି ହୋଇଛି । ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ସହ ସାମିଲ ହୋଇଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା । ହକି ବିଶ୍ବକପ ପୂର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।

ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ । ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।