ବାଗଚୀ-ଶ୍ରୀ ଶଙ୍କର କ୍ୟାନସର ହସପିଟାଲ ବୁଲିଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

1 min read

ଭୁବନେଶ୍ୱର: ବାଗଚୀ-ଶ୍ରୀ ଶଙ୍କର କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ । ଭୁବନେଶ୍ବର ଇନଫୋଭ୍ୟାଲି-୨ ସ୍ଥିତ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଗୃହ ପ୍ରତିଷ୍ଠା ପୂଜା ଅବସରରେ ଯୋଗ ଦେଇଥିଲେ । ଏହି ଅବସରରେ ହସ୍ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗଚୀ ଏବଂ ହସ୍ପିଟାଲର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍ପିଟାଲର ନିର୍ମାଣ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।

ଏହି ସମୟରେ ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ଓ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହି ହସ୍ପିଟାଲର ନିର୍ମାଣ ସମ୍ଭବ ହୋଇପାରିଛି ବୋଲି ପ୍ରତିଷ୍ଠାତା ସାଇନାଥ କହିଥିଲେ । ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆସନ୍ତା ରଥଯାତ୍ରାରୁ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହେବ ।