ଆଖଣ୍ଡଳମଣି ପୀଠର ହେବ ନବକଳେବର

1 min read

ନନ୍ଦିଘୋଷ ବ୍ୟୁରୋ: ଆଖଣ୍ଡଳମଣି ପୀଠର ହେବ ନବକଳେବର। ଶୈବପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ। ବଦଳିବ ମନ୍ଦିର, ସୁନ୍ଦର ହେବ ପରିସର । ସାଇନ୍ସ ସିଟି, ଶିବଗଙ୍ଗା ପୋଖରୀର ପୁନରୁଦ୍ଧାର। ଆରଡ଼ି ବାବା ଆଖଣ୍ଡଳମଣି ପୀଠରେ ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ। ବିକାଶର ବ୍ଲୁପ୍ରିଣ୍ଟ ନେଇ ସେବାୟତଙ୍କ ସହ ଟିକିନିଖି ଆଲୋଚନା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ ପୀଠର ବିକାଶ ପାଇଁ ୨୧ କୋଟି ଟଙ୍କା ଦିଆଯାଇଛି।

ମନ୍ଦିର ପାଇଁ ୬କୋଟି, ସାଇନ୍ସ ସିଟି ପାଇଁ ୬କୋଟି ୬୦ ଲକ୍ଷ, ପାନ୍ଥନିବାସ ପାଇଁ ୩କୋଟି ୫୦ ଲକ୍ଷ, ଦୋକାନ ଘର ପାଇଁ ୪କୋଟି ଟଙ୍କା, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ । ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ମାଷ୍ଚରପ୍ଲାନ ପ୍ରସ୍ତୁତ ହୋଇଚି । ଏନେଇ ସମୀକ୍ଷା କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ।

ପୀଠର ବିକାଶ ଓ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କୁ ଥଇଥାନ ନେଇ ମଧ୍ୟ ଆଲୋଚନା କରାଯାଇଛି। ଯାତ୍ରୀ ବିଶ୍ରାମାଗାର, ଆରଡ଼ି ବସଷ୍ଟାଣ୍ଡର ଉନ୍ନତିକରଣ, ବୈତରଣୀ-ସାଳନ୍ଦୀ ତିନିତର ଘାଟ ଉପରେ ବ୍ରିଜ୍ ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି। ଏହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ସ୍ଥାନୀୟ ବାସିନ୍ଦା। ମଧ୍ୟାହ୍ନରେ ଧାମରା ବିକାଶ ନେଇ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ। କଇଁଥଖୋଲାରେ ପହଞ୍ଚିବା ପରେ ଜାମୁଝାଡ଼ି-ଧାମରା ରାସ୍ତାକାମର ସମୀକ୍ଷା କରିଛନ୍ତି। କାମ ତ୍ବରାନ୍ବିତ କରି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୭୫୦ଏକର ଜମିରେ ନିର୍ମାଣ ହେବାକୁ ଥିବା ଇଣ୍ଡଷ୍ଟ୍ରି ପାର୍କ ନେଇ ମଧ୍ୟ ସମୀକ୍ଷା ହୋଇଛି। ସେଠାରେ ଶିଳ୍ପ ଅନୁଷ୍ଠାନ ପାଇଁ ଆବଶ୍ୟକ ରାସ୍ତା, ବିଦ୍ୟୁତ, ପାଣି ଆଦି ଆନୁଷଙ୍ଗିକ ସହଯୋଗ ଉପରେ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଦୁଇ ସଚିବ । ଧାମରା ପୋର୍ଟର କମ୍ୟୁନିଟି ହଲରେ ଆଦାନି ପୋର୍ଟର ସିଇଓ ଓ ମ୍ୟାନେଜରଙ୍କ ସହ ଆଲୋଚନା କରିଛନ୍ତି। ପର୍ଯ୍ୟଟନକୁ ଫୋକସ୍ କରି ମନ୍ଦିର ଓ ଧାର୍ମିକ ପୀଠର ବିକାଶ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଶିଷ୍ଟ ଶୈବପୀଠ ଆରଡ଼ିକୁ ପର୍ବପର୍ବାଣୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ପର୍ଯ୍ୟଟକଙ୍କୁ ଆଧ୍ୟାତ୍ମିକ ପରିବେଶରେ ଅନୁଭୁତି ଦେବା ସହ ପୀଠର ଶ୍ରୀ ବୃଦ୍ଧି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର।