ପୁଣି ଦେଶରେ ଚମକିଲା ନବୀନଙ୍କ ଜନକଲ୍ଯାଣକାରୀ ଯୋଜନା

1 min read

ଭୁବନେଶ୍ୱର : ପୁଣି ନବୀନଙ୍କ ଜନକଲ୍ଯାଣକାରୀ ଯୋଜନାକୁ କେନ୍ଦ୍ରର ସ୍ବୀକୃତି । ଜନ ପରିବହନ କ୍ଷେତ୍ରରେ ନବୀନ ସରକାରଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା ସହ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ବରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ସିଟି ଉଇଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମର ମାନ୍ୟତା ଦେଇଛି । ଗୁଜରାଟ ଗାନ୍ଧୀନଗରରେ ଅନୁଷ୍ଠିତ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ଓଡ଼ିଶାରୁ ସମ୍ମାନିତ କରାଯାଇଛି ।

ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପରିବହନ କ୍ଷେତ୍ରରେ ଦେଶର ଅନ୍ୟ ଶୀର୍ଷ ସହରକୁ ଭୁବନେଶ୍ଵର ପଛରେ ପକାଇବା ସମଗ୍ର ରାଜ୍ୟବାସୀଙ୍କୁ ଗର୍ବିତ କରିଛି। ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କୃଟରର ମୋ ବସ୍ ଏବଂ ମୋ-ଇ ରାଇଡ୍ ସେବାକୁ ଦେଶର ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥା ବୋଲି କୁହାଯାଇଛି । ଛଅ ବର୍ଷ ପୂର୍ବେ ତତକାଳୀନ ନବୀନ ସରକାର ମୋ-ବସ୍ ଏବଂ ମୋ-ଇ ରାଇଡ୍ ସେବା ଆରମ୍ଭ ହୋଇଥିଲା । ଏହାର ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ ରାଜଧାନୀ ଭୁବନେଶ୍ବର ସହ କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁରର ନାଗରିକଙ୍କ ଜୀବନରେ ଅଭିନ୍ନ ଅଙ୍ଗ ପାଲଟିଥିଲା । ଏବେ ସହରୀ ଜୀବନରେ ମୋ ବସ୍ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି ।

ଡିଜିଟାଲ କାରବାର ମୋଟ ଟିକେଟରେ ୨୫ ପ୍ରତିଶତରୁ ଅଧିକ ହୋଇଛି। ଯାହାକୁ ସାରା ଦେଶରେ ପ୍ରଶଂସା କରାଯାଇଛି । ସ୍ବୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନର ପ୍ରଚଳନ ସହ ସ୍ୱୟଂଚାଳିତ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାରେ କ୍ରୁଟ ଭାରତର ପ୍ରଥମ ଟ୍ରାଞ୍ଜିଟ ଏଜେନ୍ସି ଭାବେ ମାନ୍ଯତା ଲାଭ କରିଛି । ଗାଡ଼କଣଠାରେ ନୂତନ ଭାବେ ନିର୍ମିତ ଇଲେକ୍ଟ୍ରିକ ବସ୍ ଡିପୋ ଗ୍ରୀନ ବିଲ୍ଡିଂ ମାନଦଣ୍ଡ ଅନୁଯାୟୀ ଡିଜାଇନ ହୋଇଛି । ଗୋଟିଏ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଓଡ଼ିଶା ଢ଼େର ପଛରେ ରହିଥିଲା।

ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ଏକ ଆହ୍ବାନ ଭାବରେ ଗ୍ରହଣ କରିଥିଲେ ଓ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରିବା ସହ କ୍ରୁଟ୍ର ପ୍ରତିଷ୍ଠା କରିଥିଲେ । ଦକ୍ଷ ଲୋକଙ୍କୁ ଏହାର ପରିଚାଳନା ବ୍ୟବସ୍ଥା ପ୍ରଦାନ କରାଯିବା ସହ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ପ୍ରୟୋଗ କରା ଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ବିପୁଳ ସଫଳତା ପାଇଥିଲା  । ଏହି କ୍ରମରେ ଚଳିତବର୍ଷ ମଧ୍ୟ ଭୁବନେଶ୍ଵର ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ଭାବେ ଉଭା ହୋଇଛି  । ଗତବର୍ଷ ମଧ୍ୟ କ୍ରୁଟ୍ ୨୦୨୩ ମସିହାରେ ଆୱାର୍ଡ ଅଫ ଏକ୍ସିଲେନ୍ସ ପୁରସ୍କାରରେ ପୁରସ୍କୃତ ହୋଇଥିଲା | ଚଳିତ ପୁରସ୍କାରକୁ ମିଶାଇ କ୍ରୁଟ୍ ଷଷ୍ଠ ଥର ପାଇଁ ଏଭଳି ପୁରସ୍କାର ହାସଲ କରିଛି ।