ଆର୍ଯ୍ୟନ ଗିରଫ ମାମଲା: NCB ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ NCP ନେତା

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହୋଇଥିବାବେଳେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ । କ୍ରୁଜ୍ ରେଭ୍ ପାର୍ଟିରେ ସାମିଲ ହୋଇଥିବା ତିନି ଜଣକୁ ଛାଡି ଦେଇଛି ଏନସିବି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ନବାବ ମଲ୍ଲିକ । ସେ କହିଛନ୍ତି, ସମୀର ଓ୍ବାଙ୍ଖଡେଙ୍କ କହିବା ଅନୁସାରେ ପାର୍ଟିରେ ସାମିଲ ହୋଇଥିବା ୮ରୁ ୧୦ ଜଣକୁ ଅଟକ ରଖାଯାଇଥିଲା । ହେଲେ ସେ ସମୟରେ ଏନସିବି କବଜାରେ ଥିଲେ ୧୧ ଜଣ । ୮ ଜଣକୁ ଏନସିବି ଗିରଫ କରିଥିବାବେଳେ ବାକି ୩ ଜଣକୁ ଛାଡି ଦେଇଥିଲା ।

ଏନସିବି କାହା ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ନେଇଥିଲା । ବିଜେପି ନେତା ମୋହିତ କମ୍ବୋଜଙ୍କ ସମ୍ପର୍କୀୟଙ୍କୁ ଛାଡି ଦିଆଯାଇଛି । ଏମାନେ ହେଉଛନ୍ତି ଋଷଭ ସଚଦେବା, ପ୍ରତୀକ ଗାବା ଓ ଅମିର ଫର୍ଣ୍ଣିଚରଓ୍ବାଲା । ଏନସିବି କାହା ନିର୍ଦ୍ଦେଶରେ ଏମାନଙ୍କୁ ଛାଡି ଦେଇଛି ବୋଲି ପ୍ରଶ୍ନ କରିଛି ଏନସିପି । ଏଣୁ ଘଟଣାର ଉଚିତ୍ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ନବାବ ମଲ୍ଲିକ । ସେପଟେ ଏହାର ଜବାବ ରଖିଛି ଏନସିବି । ଡେପୁଟି ଡିଜି ଘନଶ୍ୟାମ ସିଂହ କହିଛନ୍ତି, ଅକ୍ଟୋବର ୨ ତାରିଖରେ କ୍ରୁଜ୍ ଉପରେ ଚଢାଉ ହୋଇଥିଲା । ୮ ଜଣକୁ ମାମଲାରେ ଧରିଥିଲା ଏନସିବି । ପଚରାଉଚରା ପରେ ୬ ଜଣକୁ ଛାଡି ଦିଆଯାଇଥିଲା । ଏହି ୬ ଜଣକ ବିରୋଧରେ କୌଣସି ପ୍ରମାଣ ନଥିଲା ।

ଅନ୍ୟମାନଙ୍କ ବିରୋଧରେ ପ୍ରମାଣ ମିଳିଥିବାରୁ ସେମାନଙ୍କୁ ଗିରଫ କରିଥିଲା କରାଯାଇଥିଲା । ଏନସିବି ଏକ ନିରପେକ୍ଷ ସଂସ୍ଥା ଅଟେ । ଏହାର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ଓ ତଦନ୍ତକୁ ନେଇ ରାଜନୈତିକ ରୂପ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ଏନସିବି । ଏନସିପିର ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଡେପୁଟି ଡିଜି ଘନଶ୍ୟାମ ସିଂହ । ସେପଟେ ବିଜେପି ମଧ୍ୟ ଏହା ଉପରେ ଜବାବ ରଖିଛି । ଏପଟେ ଆର୍ଯ୍ୟନ ଖାନଙ୍କୁ ଏନସିବି ଜେରା କରୁଥିବାବେଳେ ତାଙ୍କ ଗାଡି ଡ୍ରାଇଭର ମଧ୍ୟ ସ୍କାନରକୁ ଆସିଛନ୍ତି । ୧୪ ଦିନିକିଆ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ସମସ୍ତ ଅଭିଯୁକ୍ତ ।

Leave a Reply