ଅନ୍ତର୍ଜାତୀୟ ବଜାରରେ ଖସୁଛି ଅଶୋଧିତ ତେଲ ଦର, ହେଲେ ଖସୁନି ରିଟେଲ ଦର
1 min readଭୁବନେଶ୍ବର : ଲୋକଙ୍କୁ ଦରବୃଦ୍ଧିର ଅଭ୍ୟାସ କରାଅ । ଅଭ୍ୟସ୍ତ ହୋଇଗଲେ ଲୋକଙ୍କ ପାଟି ଆଉ ଫିଟିବନି । ଏହା ହେଉଛି ଏବର କେନ୍ଦ୍ର ସରକାରଙ୍କ ଫଣ୍ଡା। ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୭୦ ଡଲାର ତଳକୁ ଖସିଲାଣି । ତଥାପି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କମାଉ ନାହାନ୍ତି ପେଟ୍ରୋଲ ଡିଜେଲର ଖୁଚୁରା ଦର । ସେମାନେ ନିଜେ କରିଥିବା ଡାଇନାମିସ ପ୍ରାଇସ ମେକାନିଜିମ ଚୁଲିକୁ ଗଲାଣି । ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତି ପରେ ଅଶୋଧିତ ତୈଳ ଦର ନ ବଢି ଓଲଟି କମିଚାଲିଛି । ଏହାର ଭରପୂର ଫାଇଦା ମାରୁଛନ୍ତି ତୈଳ କମ୍ପାନୀ । କିନ୍ତୁ ଗ୍ରାହକ ବାପୁଡ଼ା ଆଗରୁ ଯେତେ ଟଙ୍କାରେ ପେଟ୍ରୋଲ ଡିଜେଲ କିଣୁଥିଲା, ଏବେ ବି ସେଇ ରେଟରେ କିଣୁଛି। ତୈଳ ଦର କମୁଥିବାରୁ ରିଫାଇନିଂ ମାର୍ଜିନ କମ୍ ହେଉଛି । ମାର୍କେଟିଂ ମାର୍ଜିନ କମୁଥିବାରୁ ଦ୍ବିତୀୟ ତ୍ରୟମାସିକରେ ଆଇଓସିଏଲ୍କୁ ଛାଡ଼ି ବାକି ଦୁଇଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ୨ ହଜାର ୪୨୨ କୋଟି ୬୭ ଲକ୍ଷ ଟଙ୍କା ଲାଭ କରିଛନ୍ତି । ଆଗକୁ ବି କମ୍ପାନୀଗୁଡ଼ିକ ବମ୍ଫର ଲାଭ କରିବେ । ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ଆଶା କରିଛି ଆସନ୍ତା ଡିସେମ୍ବର ଓ କିମ୍ବା ନୂଆବର୍ଷକୁ କମିପାରେ ପେଟ୍ରୋଲ ଡିଜେଲର ଖୁଚୁରା ଦର ।
ଜନମଙ୍ଗଳ ରାଷ୍ଟ୍ରରେ କେନ୍ଦ୍ର ସରକାର ଜନତାଙ୍କ ହିତ କଥା ଚିନ୍ତା କରିବା ଦରକାର। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଲେ ଆପେ ଆପେ ପେଟ୍ରୋଲ ଡିଜେଲ ଦର କମିବା କଥା । ଏଥିପାଇଁ କେନ୍ଦ୍ର ସରକାର ୨୦୧୭ ମସିହାରୁ ଡାଇନାମିକ ପ୍ରାଇସ୍ ମେକାନିଜିମ୍ ବ୍ୟବସ୍ଥା କରିଥିଲେ । ହେଲେ ଏ ବ୍ୟବସ୍ଥାଟି ଏବେ ଆଉ ଦେଖିବାକୁ ମିଳୁନି । ସେପଟେ ଦ୍ଵିତୀୟ ତ୍ରୟମାସିକର ଲାଭ କ୍ଷତି ରାଷ୍ଟ୍ରାୟତ୍ତ କମ୍ପାନୀ ଗତବର୍ଷ ସହିତ ତୁଳନା କରୁଛନ୍ତି । କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ଵାଟର ଦେଖିଲେ ୩ଟି ଯାକ ତୈଳ କମ୍ପାନୀଙ୍କ ଲାଭ ୭ ହଜାର ୩ କୋଟି ୯୮ ଲକ୍ଷ ଟଙ୍କା । ଏହାକୁ ଗତ ବର୍ଷ ସହିତ ତୁଳନା କରି ଲୋକେ ଯେପରି କମ୍ପାନୀଙ୍କୁ ଦୋଷ ଦେଇପାରିବେନି ସେ ନେଇ ଲାଭକ୍ଷତିର ଗୋଲକ ଧନ୍ଦାର ହିସାବ ଦେଖାଉଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା ହ୍ରାସ ହୋଇଥିଲା । ତା ପରଠୁ ଅଶୋଧିତ ତୈଳ ରେଟ୍ କମୁଥିଲେ ବି ଖୁଚୁରା ଦର ଅପରିବର୍ତ୍ତିତ ରଖିବା ଅର୍ଥ ଲୋକଙ୍କୁ ଶୋଷଣ କରିବା ସାଙ୍ଗ ସମାନ ବୋଲି କହିଛନ୍ତି ବିଶେଷଜ୍ଞ । କମୁନି ପେଟ୍ରୋଲ ଓ ଡିଜେଲ ଦର । ସେପଟେ ବିଚ୍ଛିନ୍ନାଞ୍ଚଳରେ ଲୋକଙ୍କୁ ସମାନ ଦରରେ ପେଟ୍ରୋଲ ଡିଜେଲ ଉପଲବ୍ଧ କରିବାକୁ ନିକଟରେ କେନ୍ଦ୍ର ସରକାର ସବୁ ଡିଲରଙ୍କ ପରିବହନ ଖର୍ଚ୍ଚକୁ ୨ରୁ ୫ ପଇସା ବୃଦ୍ଧି କରିଛନ୍ତି । ହେଲେ ଖୁଚୁରା ଦର କମିବ, ତାକୁ ଅନାଇ ରହିଛନ୍ତି ଲୋକେ।