ଛଟ ପୂଜା ପାଇଁ କୂଆଖାଇ ନଦୀ ପଠା ସହ ରାଜ୍ୟର ବିଭିନ୍ନ ନଦୀ କୂଳରେ ଜମୁଛି ଭିଡ

ଭୁବନେଶ୍ୱର : ଛଟ ପୂଜାକୁ ନେଇ ଚଳଚଞ୍ଚଳ । କୂଆଖାଇ ନଦୀ ପଠା ସହ ରାଜ୍ୟର ବିଭିନ୍ନ ନଦୀ କୂଳରେ ଭିଡ ଜମିଛି । ସୂର୍ଯ୍ୟ ପୂଜା ପରେ ଅର୍ଘ୍ୟ ପ୍ରଦାନ କରିଛନ୍ତି ବିହାରୀ ସଂପ୍ରଦାର ଲୋକ । ପରିବାର ଓ ଛୋଟ ପିଲାଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରାଯାଇଛି । ଭୁବନେଶ୍ବରରେ ହିନ୍ଦି ବିକାଶ ମଞ୍ଚ ପକ୍ଷରୁ ଛଟ ପୂଜାର ଆୟୋଜନ କରାଯାଇଛି । ବିହାର, ଝାଡ଼ଖଣ୍ଡ, ଓଡିଶା ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଛଟ ପର୍ବ ପାଳନ କରାଯାଏ । ଭକ୍ତମାନେ ବିଶ୍ବାସ କରନ୍ତି ଯେ, ଛଟ ଦିନ ସୂର୍ଯ୍ୟଙ୍କ ପୂଜାରେ ଛଟି ମା’ ଖୁସି ରହିଥାନ୍ତି । ଛଟର ପ୍ରଥମ ଦିନକୁ ନହେ ଖୈ ଭାବରେ ପାଳନ କରାଯାଏ । ଯେଉଁଥରେ ଘର ସଫା କରିବା, ତା’ପରେ ଗାଧୋଇବା ଏବଂ ଶାକାହାରୀ ଖାଦ୍ୟ ସହିତ ଉପବାସ ଆରମ୍ଭ କରାଯାଏ । ଦ୍ବିତୀୟ ଦିନରେ ଭକ୍ତମାନେ ଦିନ ସାରା ଉପବାସ କରିବା ପରେ ସନ୍ଧ୍ୟାରେ ଖାଦ୍ୟ ଖାଇଥାନ୍ତି ।

ଯାହାକୁ ଖାର୍ନା କୁହାଯାଏ । ସେହିପରି ତୃତୀୟ ଦିନରେ ଛଟ ପ୍ରସାଦ ତିଆରି ହୋଇଥାଏ । ପ୍ରସାଦ, ଚାଉଳ ଲଡୁ ଏବଂ ଫଳ ଆଦି ରହିଥାଏ । ସନ୍ଧ୍ୟାରେ, ଅର୍ଘ୍ୟ ଏକ ବାଉଁଶ ଟୋକେଇରେ ସଜାଯାଏ ଏବଂ ପୋଖରୀ କିମ୍ବା ନଦୀ କୂଳରେ ସାମୂହିକ ଭାବରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ । ଚତୁର୍ଥ ଦିନରେ କାର୍ତ୍ତିକ ଶୁକ୍ଳା ସପ୍ତମୀରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ ।