ଜମିବ ଛାଡ଼ଖାଇ: ଚାନ୍ଦି କେଜି ୧୪ ଶହକୁ ଇଲିସ କେଜି ୧୨ ଶହ

ଭୁବନେଶ୍ବର: ସରିଲା ପଞ୍ଚୁକ । ଆଜି ଛାଡ଼ଖାଇ । ପାଟିରେ ବାଜିବ ଆମିଷ ।  ମାଛ, ଚିକେନ୍ ଓ ମଟନ୍ ଦୋକାନ ଆଗରେ ଲମ୍ବା ଲାଇନ୍ । ଗ୍ରାହକଙ୍କ ଭିଡ଼ ସାଙ୍ଗକୁ ଦର ବି ରହିଛି ଚଡ଼ା । ତଥାପି ଦରକୁ ନେଇ ଟେନସନ ନାହିଁ, ଯାହାର ଯେତେ ଇଚ୍ଛା ବୋହି ନେଉଛନ୍ତି । ଏମିତି କିଛି ଦୃଶ୍ୟ ରାଜ୍ୟର ବିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳୁଛି ।

ଶନିବାର ଛାଡ଼ ଖାଇ ବଜାରରେ ଏତେଟା ଭିଡ଼ ଦେଖିବାକୁ ମିଳି ନଥିଲା । ହେଲେ ରବିବାରରେ ପ୍ରବଳ ଭିଡ଼ । ମାଛ ହେଉ କି ମାଂସ ନେବା ପାଇଁ ଲୋକଙ୍କ ଭିଡ଼ । ଦର କଥା କିଏ ପଚାରୁଛି ବେପାରୀ ପାଟିରୁ ଯାହା ବାହାରିଲା ଧରେଇ ଦେଇ ଘରକୁ ବୋହି ନେଉଛନ୍ତି । ନେବେ ନାହିଁ କାହିଁକି ବା ଏତେ ଦିନ ପରେ ପାଟିରେ ବାଜିବ ଆମିଷ ସ୍ବାଦ । ପଞ୍ଚୁକରେ କିଛି ଲୋକ ସ୍ବଇଚ୍ଛାରେ ଆମିଷ ଛାଡ଼ିଥିବା ବେଳେ କିଛି ଲୋକ ପରିବାରର ଅନ୍ୟ ସଦସ୍ୟଙ୍କୁ ସମ୍ମାନ ଜଣାଇ ଆମିଷ ଖାଇ ନଥିଲେ । ନିରାମିଷ ଖାଇ ଖାଇ ଅରୁଚି ହୋଇଯାଇଥିଲା । ଏବେ ତ ପଞ୍ଚୁକ ସରିଛି, ଏତେ ଦିନ ପରେ ପାଟିରେ ବାଜିବ ଆମିଷ ଟେଷ୍ଟ ।

ଏପଟେ ରବିବାର ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଲାଗିବା କଥା ଦୋକାନୀଙ୍କୁ ଆଗରୁ ଜଣାଥିଲା । ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ଇଲିସ କେଜି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି । ଏତେ ଚଢ଼ା ଦର ପରେ ବି ଏ ଦୁଇ ପ୍ରକାର ଭେରାଇଟ୍ ବଜାରରେ ମିଳିବା କଷ୍ଟ । ଯାହା କିଛି ମାର୍କେଟକୁ ଆସିଥିଲା, ପ୍ରାୟତଃ ଶେଷ ହୋଇଗଲାଣି ।

ଭେକଟି ଦର ବି ଚଢ଼ା ରହିଛି । କେଜି ପ୍ରତି ୫୦୦ରୁ ୬୦୦ ଟଙ୍କାରେ ବିକ୍ରି ହେଉଛି ଭେକଟି । ଚିଙ୍ଗୁଡିର ଡିମାଣ୍ଡ ବି ବହୁତ ଅଧିକ ରହିଛି । ୨୫୦ରୁ ୩୦୦ ଟଙ୍କା କେଜିରେ ବିକ୍ରି ହେଉଥିବା ଛୋଟ ଚିଙ୍ଗୁଡ଼ି ୫୦୦ ଟଙ୍କାରେ ବିକ୍ରି ହେଉଛି । ଆଉ ବଡ଼ ସାଇଜ କଥା କିଏ ପଚାରେ । ଟିକେ ବଡ଼ ସାଇଜର ଚିଙ୍ଗୁଡ଼ି କେଉଁଠି ୭୦୦ରୁ ୮୦୦ କେଜିରେ ବିକ୍ରି ହେଉଛି ତ ଆଉ କେଉଁଠି ୧୦୦୦ ପାର କରିଯାଇଛି । ପ୍ରତିଦିନ ତୁଳନାରେ ଆଜି କଙ୍କଡାର ବି ଭଲ ଡିମାଣ୍ଡ ରହିଛି । ବଡ଼ ସାଇଜ୍ କଙ୍କଡା କେଜି ପ୍ରତି ୭୦୦ରୁ ୮୦୦ ଟଙ୍କା ହୋଇଥିଲେ ବି ଲୋକ ବୋହି ନେଉଥିବା ଦେଖିବାକୁ ମିଳୁଛି ।

ଖାଲି ମାଛ ନୁହେଁ ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।

Leave a Reply