ମୁହଁରୁ ଦାନା ଛଡ଼ାଇ ନେଲା ‘ଦାନା’: ଭାଙ୍ଗିଛି ଘର, ଉଜୁଡ଼ିଛି ଫସଲ

ବାଲେଶ୍ବର: ବାତ୍ୟା ‘ଦାନା’ ଯାଇଛି । ହେଲେ ଲୋକଙ୍କ ମୁହଁରୁ ଦାନା ଛଡ଼ାଇ ନେଇଛି । ପବନ ଓ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବାଲେଶ୍ବର ଜିଲ୍ଲାର ହଜାର ହଜାର ହେକ୍ଟର ପରିବା ଓ ଧାନ ବିଲରେ ଲହଡ଼ି ଭାଙ୍ଗୁଛି ପାଣି । ଚାଷୀ ପରିବା ତୋଳିବ କ’ଣ, କ୍ଷେତକୁ ଯିବାକୁ ଡରୁଛି । ବାଲେଶ୍ବରରେ ଚାଷକୁ ଉଜାଡି ଦେଇଛି ଦାନା । ସେପଟେ ସରକାର କହିଛନ୍ତି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ । ହେଲେ ସରକାରୀ କଳର ସହାୟତା କ’ଣ ଚାଷୀର କ୍ଷତିକୁ ଭରଣା କରିପାରିବ ?

ପରିବା କ୍ଷେତରେ ଲହଡ଼ି ଭାଙ୍ଗୁଛି ୬ ଫୁଟ ଉଚ୍ଚାର ପାଣି । ପାଣିରେ ବୁଡ଼ି ହଳଦିଆ ପଡ଼ିଗଲାଣି ଗଛର ପତ୍ର । କଲରା ତୋଳିବାକୁ ଯିବାକୁ ଡରୁଛନ୍ତି ଚାଷୀ । କେବଳ କଲରା ମଞ୍ଚା ନୁହେଁ । କୁନ୍ଦୁରି,ପୋଟଳ, ଜହ୍ନି ମଞ୍ଚା ବି ପାଣିରେ ଭାସୁଛି । ବାଇଗଣ, ଭେଣ୍ଡି, ଲଙ୍କା, ବୋଇତାଳୁ ଗଛ ଦେଖା ଯାଉନି । ରେମୁଣା ବ୍ଲକ୍ ପତ୍ରିପାଳ, ମାହାନ୍ତିପଡ଼ା, ବଡ଼ପାଳ, ହରିପୁର, ମନ୍ଦାରପୁର ଆଦି ଗାଁର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ସମାନ ସ୍ଥିତି ଦେଖିବାକୁ ମିଳିଛି ଧାନ ଚାଷୀଙ୍କର । ବାତ୍ୟା ଓ ଲଗାଣ ବର୍ଷାରେ ବୁଡ଼ି ଯାଇଛି ଧାନବିଲ । କ୍ଷେତରେ ଏବେ ଧାନରେ ଥୋଡ଼ ଆସିଛି । ପବନ ବାଜିଥିଲେ ଧାନ ଫଳିଥାନ୍ତା । ୩ ଦିନ ହେଲା ବିଲରେ ଆଉ ଧାନଗଛ ଦେଖାଯାଉ ନାହିଁ । ସବୁଆଡ଼େ ଖାଲି ପାଣି ଆଉ ପାଣି ।

ଗତ ୨୪ ତାରିଖରୁ ବାଲେଶ୍ବର ଜିଲ୍ଲାରେ ବର୍ଷା ଲାଗି ରହିଛି । ଔପଦା ବ୍ଲକରେ ସର୍ବାଧିକ ୨୪୦ ମି.ମି. ବର୍ଷା ହୋଇଥିବାବେଳେ, ରେମୁଣା ବ୍ଲକରେ ୮୫ ମି.ମି. ଓ ବାଲେଶ୍ବର ସଦର ବ୍ଲକରେ ୯୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ବାତ୍ୟା ଓ ବନ୍ୟା ଯୋଗୁଁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ହେଲେ ବାସ୍ତବରେ ପ୍ରାୟ ୧୦ ହଜାର ହେକ୍ଟର ଚାଷଜମି ବାତ୍ୟା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ପ୍ରଶାସନ ତରଫରୁ କୃଷି, ହର୍ଟିକଲଚର, ପଶୁପାଳନ ସମେତ ସମସ୍ତ ବିଭାଗକୁ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ସରକାରଙ୍କ ପାଖକୁ ପଠାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।