ଡିସେମ୍ୱର ମାସରେ ରାଜ୍ୟରେ ଲଗାଣ ବର୍ଷା ଆଶଙ୍କା: ୮୫ ପ୍ରତିଶତ ପାଚି ଯାଇଥିବା ଧାନକୁ କାଟି ନେବାକୁ ପରାମର୍ଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ଲଗାଣ ବର୍ଷା ଆଶଙ୍କା ରହିଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ପରାମର୍ଶ ଜାରି କରାଯାଇଛି ।

ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।

ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ ।

ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରନ୍ତୁ ।

ବାଇଗଣ, ବିଲାତି ବାଇଗଣ,ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି ଓ କାପସିକମ ଆଦି ଫସଲର ତଳି ଘେରାରେ ଧଳା ଜରି ଓ ବାଉଁଶ ଢେରା ଦେଇ ଘୋଡାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ । ପନିପରିବା ଫସଲ ଛୋଟ ଅବସ୍ଥାରେ ଥିଲେ ଓ ବର୍ଷା ହେତୁ ଗଛର ପତ୍ର ମାଟିରେ ପୋତି ହୋଇଥିଲେ ପତ୍ର ଗୁଡିକୁ ଛିଣ୍ଡାଇ ଦିଅନ୍ତୁ ।

ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ ବର୍ଷା ଛାଡିଗଲା ପରେ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ ଓ ୨୦ଗ୍ରାମ (ମେଟାଲିକ୍ସିଲ + ମାଙ୍କୋଜେବ) ମିଶାଇ ଫସଲର ମୂଳ ଭାଗକୁ ସିଂଚନ କରନ୍ତୁ । ବିଲାତି ବାଇଗଣ ଓ କୋବି ଜାତୀୟ ଫସଲରେ ଧୂଆଁପତ୍ର ଗୋଟିପୋକ ଲାଗିବାର ସମ୍ଭାବନା ଥିବାରୁ ଏକର ପ୍ରତି ୮୦ ଗ୍ରାମ ଇମାମେକ୍ଟିନ ବେଞ୍ଜୋଏଟ କିମ୍ବା ୩୦୦ ମି.ଲି. ଲାମୁଡା ସାଇହାଲୋଥ୍ରୋନ କୀଟନାଶକ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରିବାକୁ ପରାମର୍ଶ ।

Leave a Reply